ମୋହାଲି: ପଞ୍ଜାବର ମୋହାଲିରେ ଏକ ବହୁମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ିବା ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଆହତ ହୋଇ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତ କନ୍ୟା ଜଣକ ହେଉଛନ୍ତି ହିମାଚଳ ପ୍ରଦେଶର ଥିଓଗରେ ରହୁଥିବା ସ୍ୱର୍ଗତ ଭଗତ ବର୍ମାଙ୍କ ଝିଅ ଦୃଷ୍ଟି ବର୍ମା।
କୋଠା ଭୁଶୁଡ଼ି ପଡ଼ିବା ପରେ ଯୁବତୀଙ୍କୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋହାନା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ବି ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଘଟଣାସ୍ଥଳରେ ସମଗ୍ର ପ୍ରଶାସନ ଓ ଉଦ୍ଧାରକାରୀ ଦଳ ମୁତୟନ ହୋଇଥିବା କହିଛନ୍ତି। ସେ କହିଛନ୍ତି ଯେ ଏହି ନିର୍ମାଣାଧୀନ କୋଠା ଭୁଶୁଡ଼ିବା ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।
ଡିଏସପି ହରସିମରଣ ସିଂ କହିଛନ୍ତି ଯେ କୋଠା ଭୁଶୁଡ଼ିବା କାରଣରୁ ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଅଭିଯାନ ଜାରି ରହିଛି। ଆମେ କୋଠା ମାଲିକଙ୍କ ବିରୋଧରେ ଏତଲା ରୁଜୁ କରିଛୁ।
କୁହାଯାଉଛି ଯେ କୋଠାର ତୃତୀୟ ମହଲାରେ ଜିମ୍ ଚାଲିଥିଲା। ଏହି କୋଠାଟି ଆବାସିକ ବୋଲି କୁହାଯାଉଛି। ଆବାସିକ ଅଞ୍ଚଳରେ ବେଆଇନ ଭାବେ ଜିମ୍ କାମ ଚାଲିଥିଲା। ମିଳିଥିବା ସୂଚନା ଅନୁଯାୟୀ, କୋଠାର ବେସମେଣ୍ଟରେ ଖନନ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଅନେକ ଲୋକ ଜିମ୍ ଭିତରେ ଥିବା ସନ୍ଦେହ କରାଯାଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ଘଟିବା ସମୟରେ ଜିମ୍ ଖୋଲା ଥିଲା। ଏଥିରେ ଅନେକ ଲୋକ ବ୍ୟାୟାମ କରୁଥିଲେ।
ଅଧିକ ପଢ଼ନ୍ତୁ: ବିନା ଭୟରେ ଭିଟୋକୁ ଅନୁମତି ଦେବୁ ନାହିଁ: ଜୟଶଙ୍କର