ଭୁବନେଶ୍ୱର :ରବିବାର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।କିଛି ଦିନ ପୂର୍ବରୁ ତାଙ୍କୁ ହୃଦଘାତ ହୋଇଥିଲା । ସେବେଠୁ ସେ ଅସୁସ୍ଥ ରହିଆସୁଥିଲେ । ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ।ସ୍ବର୍ଗତ ମହାନ୍ତି ବିଜେଡି ଟିକେଟ୍ରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୦୯ ଏବଂ ୨୦୧୪ରେ ଭୁବନେଶ୍ୱର ମଧ୍ୟ ଆସନରୁ ଜିତିଥିଲେ।
ତାଙ୍କ ଦେହାନ୍ତ ଖବର ଶୁଣି ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ବିଜୟ ମହାନ୍ତିଙ୍କ ଶେଷ ଦର୍ଶନ କରିବାକୁ ତାଙ୍କ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି ବିଜେଡି ଏବଂ ବିଜେପି ବିଧାୟକ।
ଉଲ୍ଲେଖ ଯୋଗ୍ୟ ୧୯୮୨ରେ ଥିଲେ ଭୁବନେଶ୍ବର ଛାତ୍ର ଜନତା ଦଳର ସମ୍ପାଦକ । ୧୯୮୮ରୁ ୧୯୯୨ ପର୍ଯ୍ୟନ୍ତ ଥିଲେ ଭୁବନେଶ୍ବର ବିଜେଡି ସଭାପତି । ସେହିପରି ୧୯୯୨ରୁ ୧୯୯୮ ପର୍ଯ୍ୟନ୍ତ ଥିଲେ ବିଜେଡି ରାଜ୍ଯ ସମ୍ପାଦକ । ୧୯୯୮ରୁ ୨୦୦୦ ଥିଲେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ । ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଥିଲେ ଓଡିଶା ଯୁବ ପରିଷଦର ସଭାପତି । ଏହାସହ ବିଧାୟକ ଥିବା ବେଳେ ବିଭିନ୍ନ କମିଟିର ସଦସ୍ଯ ଥିଲେ ।
ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ବିଜୟ କୁମାର ମହାନ୍ତି ଙ୍କ ଦେହାନ୍ତ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ ତାଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଛନ୍ତି ' ବିଜୟ କୁମାର ମହାନ୍ତି ଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ଲୋକଙ୍କ କଲ୍ୟାଣ ଦିଗରେ ତାଙ୍କ କାର୍ଯ୍ୟ ସଦା ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।