ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜରିୱାଲଙ୍କ ମୁସ୍କିଲ ବଢିପାରେ । ଉପରାଜ୍ୟପାଳ(ଏଲଜି) ଭିକେ ସକ୍ସେନା ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି(ଆପ)ର ପ୍ରମୁଖ ଅରବିନ୍ଦ କେଜରିୱାଲଙ୍କ ଉପରେ ମୋକଦ୍ଦମା ଚଲାଇବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମଞ୍ଜୁରୀ ଦେଇଛନ୍ତି । ଇଡି ଡିସେମ୍ବର ୫ରେ କେଜରିୱାଲଙ୍କ ବିରୋଧରେ ମୋକଦ୍ଦମା ଚଲାଇବା ପାଇଁ ଉପରାଜ୍ୟପାଳଙ୍କ ଅନୁମତି ମାଗିଥିଲେ । ଇଡି ଜଣାଇଥିଲା ଯେ, ଅବକାରୀ ନୀତି ମାମଲାରେ ଦୁର୍ନୀତି ହୋଇଥିବା ଜଣା ପଡିଛି । ଏହାର ତଦନ୍ତ ପାଇଁ ଉପରାଜ୍ୟପାଳଙ୍କ ଅନୁମତି ଦରକାର ।
ଏବେ କେଜରିୱାଲଙ୍କ ବିରୋଧରେ ମାମଲା ଚଲାଇବା ପାଇଁ ଉପରାଜ୍ୟପାଳଙ୍କ ଅନୁମତି ମିଳି ଯାଇଛି । ଇଡି କହିଛି ଯେ, ଆମ ପାଖରେ ରହିଥିବା ଅଭିଯୋଗ ଅନୁସାରେ, କେଜରିୱାଲ ସାଉଥ ଗ୍ରୁପ ସଦସ୍ୟଙ୍କ ସହିତ ମିଶି ୧୦୦ କୋଟି ଟଙ୍କାର ଲାଞ୍ଚ ନେଇଛନ୍ତି । ଏହା ସହିତ ଟେଲର ମେଡ ମଦ ନୀତି ପ୍ରସ୍ତୁତ କରିବା ଓ ଏହାକୁ ଲାଗୁ କରିବା ପାଇଁ ଘରୋଇ ସଂସ୍ଥାକୁ ଅନୁଚିତ ଫାଇଦା ଦେଇଛନ୍ତି । ଏଥିରେ କୁହାଯାଇଛି ଯେ, ସାଉଥ ଗ୍ରୁପ ପାଇଁ ଅଲଗା ଅଲଗା ମଦ ଦୋକାନରେ ସେୟାର ସୁନିଶ୍ଚିତ କରାଯାଇଥିଲା । ଏହିପରି ଅବକାରୀ ନୀତି ୨୦୨୧-୨୨ର ଉଲ୍ଲଂଘନ କରିଛନ୍ତି କେଜରିୱାଲ ।
ଇଡି ଅଭିଯୋଗରେ ଏହା ମଧ୍ୟ କହିଛି ଯେ, ବେଆଇନ ଭାବେ ମିଳିଥିବା ଆୟରୁ ପାଖାପାଖି ୪୫ କୋଟି ଟଙ୍କା ଗୋଆ ନିର୍ବାଚନରେ ଆପ୍ ପାର୍ଟି ପ୍ରଚାରରେ ଖର୍ଚ୍ଚ କରିଥିଲା । ତେଣୁ ଏହି ଅପରାଧରେ କେଜରିୱାଲ ମୁଖ୍ୟ ଲାଭାର୍ଥୀ । ତେଣୁ କେଜରିୱାଲଙ୍କ ବିରୋଧରେ ତଦନ୍ତର ଅତି ଆବଶ୍ୟକ ରହିଛି ।
ଏହି ମାମଲାରେ ଆପର କହିବା କଥା ୨୫୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଛି । କିନ୍ତୁ ଗୋଟିଏ ବି ପଇସା ମିଳିଲା ନାହିଁ । ବିଜେପିର ଉଦ୍ଦେଶ୍ୟ କେଜରିୱାଲଙ୍କୁ ବରବାଦ କରିବା । ତଥାକଥିତ ମଦ ଦୋକାନ ଦୁର୍ନୀତିର ତଦନ୍ତ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଲା । ୫୦୦ ଲୋକଙ୍କୁ ହଇରାଣ କରାଗଲା । ୫୦ ହଜାର ପୃଷ୍ଠାର ଦସ୍ତାବିଜ ଦାଖଲ କରାଗଲା । ୨୫୦ରୁ ଅଧିକ ଜାଗାରେ ଚଢଉ ହେଲା ମାତ୍ର ଗୋଟିଏ ବି ପଇସା ମିଳିଲା ନାହିଁ । ବିଭିନ୍ନ ଅଦାଲତର ଆଦେଶରେ ତଦନ୍ତକାରୀ ସଂସ୍ଥାର ତ୍ରୁଟି ସାମ୍ନାକୁ ଆସିଲା । ବିଜେପିର ପ୍ରକୃତ ଉଦ୍ଦେଶ୍ୟ ଯେ କୌଣସି ପ୍ରକାରେ ଆପ୍ ପାର୍ଟି ଓ ଅରବିନ୍ଦ କେଜରିୱାଲଙ୍କୁ ବରବାଦ କରିବା ।