ସମ୍ବଲପୁର : ଆସନ୍ତା ଜାନୁଆରୀ ୧୮ ତାରିଖରୁ ହୀରାକୁଦ ଡ୍ୟାମରେ ବିଦେଶୀ ପକ୍ଷୀ ଗଣନା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟ ପ୍ରାଣୀ ଡ଼ିଏଫଓ (DFO) ଅଂଶୁପ୍ରଜ୍ଞା ଦାସ। ଗତ ଅକ୍ଟୋବରରୁ ବିଦେଶୀ ପକ୍ଷୀମାନେ ହୀରାକୁଦ ଡ୍ୟାମକୁ ଆସୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ହୀରାକୁଦରେ ଆବଶ୍ୟକ ଖାଦ୍ୟ ମହଜୁଦ ସାଙ୍ଗକୁ ଉପଯୁକ୍ତ ପରିବେଶ ମିଳୁଥିବାରୁ ଦିନକୁ ଦିନ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।
ଯାହା ଜଣାପଡିଛି ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତବର୍ଷ ହୀରାକୁଦକୁ ୧୧୨ ପ୍ରଜାତିର ୩ ଲକ୍ଷ ୪୨ ହଜାର ୩୩୯ଟି ପକ୍ଷୀ ଆସିଥିଲେ ।
ସେହିପରି ଚିଲିକାକୁ ଆସିଥିବା ବିଦେଶ ପକ୍ଷୀଙ୍କ ଖୁବଶୀଘ୍ର ମଧ୍ୟ ଗଣନା ଆରମ୍ଭ ହେବ । ଡିସେମ୍ବର ଶେଷ ଏଵଂ ଜାନୁଆରୀ ଆରମ୍ଭ ମଧ୍ୟରେ ଚିଲିକାରେ ପକ୍ଷୀ ଗଣନା ହେବ । ଚିଲିକାକୁ କେତେ ସଂଖ୍ୟାରେ ଓ କେତେ ପ୍ରଜାତିର ବିଦେଶୀ ପକ୍ଷୀ ଆସିଛନ୍ତି ସେନେଇ ସର୍ଭେ କରାଯିବ । ଚିଲିକାକୁ ପକ୍ଷୀ ଆସିବା ପରେ ପକ୍ଷୀଙ୍କ ସୁରକ୍ଷାରେ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିଛି । ସେମାନଙ୍କ ସୁରକ୍ଷା, ଶିକାରୀଙ୍କ ଉପରେ ନଜର ଏବଂ ଚିଲିକାର ମୁଖ୍ୟ ଅଞ୍ଚଳଗୁଡିକରେ ରହିଥିବା ସ୍ଥାନ ଉପରେ ବନ ବିଭାଗର ନଜର ରହିଛି ବୋଲି ସିସିଏଫ୍ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।