ଗୁଆହାଟୀ: ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରବିବାର କହିଛନ୍ତି ଯେ ରାଜ୍ୟରେ ବାଲ୍ୟ ବିବାହ ବିରୋଧରେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନରେ ୪୧୬ ଜଣଙ୍କୁ ଗିରଫ କରାଯାଇଛି। ଡିସେମ୍ବର ୨୧-୨୨ ରାତିରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ରିପୋର୍ଟ ଅନୁଯାୟୀ, ପୁଲିସ ୩୩୫ଟି ମାମଲା ରୁଜୁ କରିଛି ଏବଂ ଗିରଫ ବ୍ୟକ୍ତିମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଏହି ସାମାଜିକ କୁସଂସ୍କାରକୁ ଶେଷ କରିବା ପାଇଁ ଆମେ ସାହସିକ ପଦକ୍ଷେପ ନେବା ଜାରି ରଖିବୁ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ୨୦୨୩ ଫେବ୍ରୁଆରି ଓ ଅକ୍ଟୋବରରେ ଦୁଇଟି ପର୍ଯ୍ୟାୟରେ ବାଲ୍ୟ ବିବାହ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ। ଫେବ୍ରୁଆରିରେ ପ୍ରଥମ ପର୍ଯ୍ୟାୟରେ ୪୫୧୫ଟି ମାମଲା ରୁଜୁ ହୋଇଥିବା ବେଳେ ୩୪୮୩ ଜଣଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବରରେ ଦ୍ବିତୀୟ ପର୍ଯ୍ୟାୟରେ ୭୧୦ଟି ମାମଲା ରୁଜୁ ହୋଇଥିବା ବେଳେ ୯୧୫ ଜଣଙ୍କୁ ଗିରଫ କରାଯାଇଛି।
ଜୁଲାଇ ୧୭ରେ ବିଶ୍ୱ ଅନ୍ତର୍ଜାତୀୟ ନ୍ୟାୟ ଦିବସ ଅବସରରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ବାଲ୍ୟ ବିବାହ ମାମଲାରେ ଆଇନଗତ ହସ୍ତକ୍ଷେପ ଉପରେ ଆସାମ ସରକାର ଗୁରୁତ୍ୱ ଦେଉଥିବାରୁ ଏହା ଏବେ ଦେଶର ବାକି ଅଞ୍ଚଳ ପାଇଁ ଆଦର୍ଶ ପାଲଟିଛି। ରିପୋର୍ଟରେ କୁହାଯାଇଛି ଯେ ଆସାମ ସରକାରଙ୍କ ଏହି ଆଇନଗତ ରଣନୀତି ଯୋଗୁଁ ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟର ୨୦ଟି ଜିଲ୍ଲାରେ ବାଲ୍ୟ ବିବାହରେ ୮୧ ପ୍ରତିଶତ ହ୍ରାସ ଘଟିଛି।
ଚଳିତ ବର୍ଷ ପ୍ରାରମ୍ଭରେ ହିମନ୍ତ ବିଶ୍ୱଶର୍ମା ସରକାର ଆସାମ ମୁସଲିମ୍ ବିବାହ ଏବଂ ଛାଡ଼ପତ୍ର ପଞ୍ଜୀକରଣ ଆଇନ, ୧୯୩୫କୁ ଉଚ୍ଛେଦ କରିବାକୁ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଯେତେବେଳେ ଏହି ପ୍ରସଙ୍ଗରେ ଆସାମ ବିଧାନସଭା ଭିତରେ ହଙ୍ଗାମା ଆରମ୍ଭ ହୋଇଥିଲା ଏବଂ ବିରୋଧୀ ଦଳମାନେ ଏହାର ଆବଶ୍ୟକତା କାହିଁକି ବୋଲି ପଚାରିଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ହିମନ୍ତ କ୍ରୋଧିତ ହୋଇ କହିଥିଲେ ଯେ ସେ ବାଲ୍ୟ ବିବାହ ଉପରେ ପ୍ରତିବନ୍ଧକ ଲଗାଇବେ। ସେ କହିଥିଲେ, ଯେପର୍ଯ୍ୟନ୍ତ ମୁଁ ବଞ୍ଚିଛି, ମୁଁ ଆସାମରେ ବାଲ୍ୟ ବିବାହକୁ ଅନୁମତି ଦେବି ନାହିଁ।
ଅଧିକ ପଢ଼ନ୍ତୁ: ଜଳିଗଲେ ୩ ଜଣ; ଦୁଇ ଦିନରେ ୭ ଜଣଙ୍କର ମୃତ୍ୟୁ