ଢାକା: ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରର ଆଉ ଏକ ଭାରତ ବିରୋଧୀ ମନ୍ତବ୍ୟ ସାମ୍ନାକୁ ଆସିଛି। ଅନ୍ତରୀଣ ସରକାର ଦ୍ୱାରା ଗଠିତ ଏକ ତଦନ୍ତ କମିଶନ ଅଭିଯୋଗ କରିଛନ୍ତି ଯେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଶାସନ କାଳରେ ନିଖୋଜ ହେବା ପଛରେ ଭାରତର ହାତ ରହିଛି। ବଳପୂର୍ବକ ନିଖୋଜ ସମ୍ପର୍କିତ ତଦନ୍ତ କମିଶନଙ୍କ ବୟାନ ଦେଇ କହିଛି ଯେ, ନିଖୋଜ ଘଟଣାରେ ଭାରତର ସମ୍ପୃକ୍ତି ଏକ ସାର୍ବଜନୀନ ରେକର୍ଡର ବିଷୟ।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ମେନୁଲ ଇସଲାମ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ କମିଶନ କହିଛନ୍ତି ଯେ ସରକାରୀ ଏଜେନ୍ସିରେ ଏକ ଧାରଣା ରହିଛି ଯେ କିଛି କଏଦୀ ଏବେ ବି ଭାରତୀୟ ଜେଲରେ ବନ୍ଦୀ ରହିପାରନ୍ତି। ଆମେ ବୈଦେଶିକ ବ୍ୟାପାର ଏବଂ ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେଉଛୁ ଯେ ଭାରତରେ ବନ୍ଦୀ ଥିବା କୌଣସି ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତୁ। ବାଂଲାଦେଶ ବାହାରେ ଏହି ମାମଲାର ତଦନ୍ତ କରିବା ପାଇଁ କମିଶନଙ୍କ ଅଧିକାର ବାହାରେ ରହିଛି।
ଭାରତ ଓ ବାଂଲାଦେଶ ମଧ୍ୟରେ କଏଦୀଙ୍କ ଆଦାନପ୍ରଦାନ ଏବଂ ସେମାନଙ୍କ ଭାଗ୍ୟ ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିବା କମିଶନ କହିଛନ୍ତି। ଆୟୋଗ ଦୁଇଟି ପ୍ରଚାରିତ ମାମଲାର ଉଦାହରଣ ଦେଇଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ କିପରି ଏଭଳି ଅପରେସନ କରାଯାଇଥିଲା। ବାଂଲାଦେଶର ସର୍ବୋଚ୍ଚ ନ୍ୟାୟାଳୟ ପରିସରରୁ ଅପହରଣ ହୋଇ ପରେ ଭାରତୀୟ ଜେଲରୁ ମିଳିଥିବା ଶୁକ୍ରରଞ୍ଜନ ବାଲିଙ୍କ ମାମଲା ଏକ ମାମଲା। ଦ୍ୱିତୀୟ ମାମଲା ଥିଲା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ନେତା ସଲାହୁଦ୍ଦିନ ଅହମ୍ମଦ। ଅହମ୍ମଦଙ୍କ ମାମଲା ବାଂଲାଦେଶ ଓ ଭାରତ ମଧ୍ୟରେ ଅଦଳବଦଳ ବ୍ୟବସ୍ଥାର ଏକ ଉଦାହରଣ।
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରର ଅନ୍ତ ନାହିଁ। ଦିନାଜପୁର ଜିଲ୍ଲାର କାସିମପୁରା ଅଞ୍ଚଳରେ ଆଉ ଜଣେ ପୂଜକଙ୍କୁ ହତ୍ୟା କରାଯାଇଛି। କାସିମପୁରା ଶ୍ମଶାନରେ ଥିବା ମନ୍ଦିରଲୁଟ୍ କରିବା ପରେ ସେଠାରେ କାର୍ଯ୍ୟରତ ତରୁଣ ଚନ୍ଦ୍ର ଦାସଙ୍କୁ ଅପରାଧୀମାନେ ହତ୍ୟା କରିଥିଲେ। ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି। ମୃତ ପୂଜକ ତରୁଣ ଚନ୍ଦ୍ର ଦାସ ନାଟୋର ସହରର ଅଲିପୁର ଧୋପାପଡ଼ା ଅଞ୍ଚଳର କାଳୀପଦ ଦାସଙ୍କ ପୁଅ।
ଅଧିକ ପଢ଼ନ୍ତୁ: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ