ନୂଆଦିଲ୍ଲୀ: ଗୋଙ୍ଗାଡି ତ୍ରିଶାଙ୍କ ଦମଦାର ଅର୍ଦ୍ଧଶତକ ଦମରେ ଭାରତ ବାଂଲାଦେଶକୁ ହରାଇ ୧୯ ବର୍ଷରୁ କମ ମହିଳା ଏସିଆ କପର ପ୍ରଥମ ସଂସ୍କରଣରେ ଚାମ୍ପିଅନ ହୋଇଛି । କୁଆଲାଲମ୍ପୁରର ବାୟୁଏମାସ ଓଭାଲରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୧୭ ରନ କରିଥିଲା । ଜବାବରେ ବାଂଲାଦେଶ ୭୬ ରନରେ ଅଲଆଉଟ୍ ହୋଇଥିଲା । ଆଉ ଭାରତ ମ୍ୟାଚକୁ ୪୧ ରନରେ ଜିତିବା ସହ ଟାଇଟଲ ନିଜ ନାମରେ କରିଛି । ଗୋଙ୍ଗାଡି ତ୍ରିଶାଙ୍କୁ ଅର୍ଦ୍ଧଶତକୀୟ ଇନିଂସ ପାଇଁ ପ୍ଲେଆୟ ଅଫ ଦ ଆୱାର୍ଡ ମିଳିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଗୋଙ୍ଗାଡି ଏକ ମାତ୍ର ବ୍ୟାଟର ଭାବେ ଦଳର ଇନିଂସ ସମ୍ଭାଳିଥିଲେ । ସେ ୪୭ ବଲରୁ ୫ ଚୌକା ଓ ୨ ଛକା ବଳରେ ୫୨ ରନର ଦମଦାର ଇନିଂସ ଖେଳିଥିଲେ । ଅନ୍ୟପଟେ ଦଳର ୫ ବ୍ୟାଟର ଦୁଇ ଅଙ୍କ ବି ଛୁଇଁ ପାରି ନଥିଲେ । ବାଂଲାଦେଶ ପକ୍ଷରୁ ଫରଜାନା ଇସ୍ମିନ ସର୍ବାଧିକ ୪ ସଫଳତା ହାସଲ କରିଛନ୍ତି ।
୧୧୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଦଳ ପକ୍ଷରୁ ଜୁଏରିଆ ଫିର୍ଦ୍ଦୋଷ ସର୍ବାଧିକ ୨୨ ରନ କରିଥିବା ବେଳେ ଫହମିଦା ଚୋୟା ୧୮ ରନ ଦୁଇଁ ଛୁଇଁ ପାରି ଥିଲେ । ବାଂଲାଦେଶର ୯ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଭାରତ ପକ୍ଷରୁ ଆୟୁଷ ଶୁକ୍ଳା ଶାଣିତ ବୋଲିଂ କରି ୩ ୱିକେଟ୍ ହାସଲ କରିଥିଲେ ।
ଭାରତ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ବହୁତ ଚମତ୍କାର ରହିଥିଲା । ଦଳ ଗ୍ରୁପ ପର୍ଯାୟରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିଲା । ନେପାଳ ବିପକ୍ଷ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଥିବା ବେଳେ ସୁପର-୪ରେ ଭାରତ ବାଂଲାଦେଶ ଓ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।