ଭୁୁବନେଶ୍ୱର: କ୍ରିକେଟ୍ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟେଷ୍ଟର ଅବଶିଷ୍ଟ ଦୁଇଟି ଟେଷ୍ଟ ପାଇଁ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ତିନୋଟି ମ୍ୟାଚ୍ ଖେଳା ଯାଇଛି । ସିରିଜ୍ ୧-୧ ବରାବର ସ୍ଥିତିରେ ରହିଛି । ଅଷ୍ଟ୍ରେଲିଆ ଶେଷ ଦୁଇ ଟେଷ୍ଟ ପାଇଁ ଘୋଷଣା କରିଥିବା ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦଳରୁ ନାଥନ ମ୍ୟାକସ୍ୱିନିଙ୍କୁ ବାଦ୍ ଦିଆଯାଇଥିବା ବେଳେ ଦ୍ରୁତ ବୋଲର ଝାଏ ରିଚାର୍ଡସନକୁ ଦଳରେ ସୁଯୋଗ ମିଳିଛି ।ଫଳରେ ତିନି ବର୍ଷରୁ ଅଧିକ ସମୟ ପରେ ସେ ଟେଷ୍ଟ ଦଳକୁ ଫେରିଛନ୍ତି । ଦଳରେ ୧୯ ବର୍ଷୀୟ ସାମ କୋନଷ୍ଟାସକୁ ମଧ୍ୟ ସ୍ଥାନ ମିଳିଛି ।
ସାମ କୋନଷ୍ଟାସଙ୍କୁ ଯଦି ଭାରତ ବିପକ୍ଷରେ ପଦାର୍ପଣ କରିବାର ସୁଯୋଗ ମିଳେ ତେବେ ଗତ ୭୦ ବର୍ଷରେ ଅଷ୍ଟ୍ରେଲିଆ ପକ୍ଷରୁ ଟେଷ୍ଟ ପଦାର୍ପଣ କରିବାରେ ସେ ସର୍ବକନିଷ୍ଠ ଖେଳାଳି ହେବେ । ଏହା ପୂର୍ବରୁ ୧୯୫୨ରେ ଇଆନ କ୍ରେଗ ୧୭ ବର୍ଷ ୨୩୯ ବର୍ଷ ବୟସରେ ଅଷ୍ଟ୍ରେଲିଆ ପକ୍ଷରୁ ଟେଷ୍ଟରେ ଡେବ୍ୟୁ କରିଥିଲେ । କୋନଷ୍ଟାସ ଚଳିତ ବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିବା ୧୯ ବର୍ଷରୁ କମ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିବା ପରେ ସିନିୟର କ୍ରିକେଟରେ ଧମାକାଦାର ଆରମ୍ଭ କରିଥିଲେ ।
ଏଥିସହ ଦ୍ରୁତ ବୋଲର ଝାଏ ରିଚାର୍ଡସନଙ୍କୁ ମଧ୍ୟ ସୁଯୋଗ ମିଳିଛି । ସେ ୨୦୨୧-୨୨ ଆସେସ୍ ପରେ ଦଳକୁ ଫେରିଛନ୍ତି ।ଏହା ସହିତ ଦ୍ରୁତ ବୋଲର ସିନ ଏବଟଙ୍କୁ ମଧ୍ୟ ମେଲବର୍ଣ୍ଣ ଓ ସିଡନୀ ଟେଷ୍ଟ ପାଇଁ ଦଳରେ ସାମିଲ କରାଯାଇଛି । ତାଙ୍କ ବ୍ୟତୀତ ଅନକ୍ୟାପଡ ଅଲରାଉଣ୍ଡର ବ୍ୟୁ ୱେବଷ୍ଟରଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି ।
ଅଷ୍ଟ୍ରେଲିଆ ଦଳ
ପାଟ୍ କମିନ୍ସ(ଅଧିନାୟକ), ଟ୍ରେଭିସ ହେଡ(ଉପ ଅଧିନାୟକ), ଷ୍ଟିଭ ସ୍ମିଥ(ଉପ ଅଧିନାୟକ), ସିନ ଏବଟ୍, ସ୍କଟ ବୋଲାଣ୍ଡ, ଆଲେକ୍ସ କେରି, ଜୋଶ ଇଂଗ୍ଲିଶ, ଉସ୍ମାନ ଖ୍ୱାଜା, ସାମ କୋନଷ୍ଟାସ, ମାର୍ନସ ଲାବୁସେନ, ନାଥନ ଲିୟୋନ, ମିଚେଲ୍ ମାର୍ଶ, ଝାଏ ରିଚାର୍ଡସନ, ମଚେଲ୍ ଷ୍ଟାର୍କ, ବ୍ୟୁ ୱେବଷ୍ଟର ।