ନୂଆଦିଲ୍ଲୀ: ଗାବାରେ କଙ୍ଗାରୁ ଦଳର ଉତ୍ସାହକୁ ଭାଙ୍ଗିବା ପରେ ମେଲବର୍ଣ୍ଣ ଟେଷ୍ଟ ପାଇଁ ଭାରତୀୟ ଦଳ ପ୍ରସ୍ତୁତିରେ ଜୁଟି ଯାଇଛି । ଭାରତୀୟ ଦଳ ନେଟରେ ଝାଳବୁହା ଅଭ୍ୟାସ ଚଳାଇଛନ୍ତି । ଚତୁର୍ଥ ଟେଷ୍ଟ ଡିସେମ୍ବର ୨୬ରେ ମେଲବର୍ଣ୍ଣରେ ଖେଳାଯିବ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ସ୍ଥିତିରେ ରହିଛି । ତେଣୁ ଚତୁର୍ଥ ଟେଷ୍ଟ ଭାରତୀୟ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ତେବେ ଏହି ମ୍ୟାଚରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ କିଭଳି ରହିବ ତା ଉପରେ ସଭିଙ୍କ ନଜର ରହିଛି ।
ମେଲବର୍ଣ୍ଣରେ ଭାରତ ଦୁଇ ଜଣ ସ୍ପିନର ସହ ମଇଦାନକୁ ଓହ୍ଲାଇପାରେ । ପିଚରେ ସ୍ପିନରଙ୍କୁ ବହୁତ ସହାୟତା ମିଳିପାରେ । ଭାରତ ଗତ ଥର ଯେବେ ମେଲବର୍ଣ୍ଣରେ ଟେଷ୍ଟ ମ୍ୟାଚ୍ ଜିତିଥିଲା, ସେହି ସମୟରେ ଚୂଡାନ୍ତ ଏକାଦଶରେ ଦୁଇ ଜଣ ସ୍ପିନର ରହିଥିଲେ । ତେଣୁ ଅଧିନାୟକ ରୋହିତ ଶର୍ମା ପୁଣି ଥରେ ସମାନ ରଣନୀତି ସହ ଯାଇ ପାରନ୍ତି । ଏମିତି ସ୍ଥିତିରେ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ ।
ଯଦି ଭାରତୀୟ ଦଳ ଦୁଇ ଜଣ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଏ ତେବେ ପୁଣି ମହମ୍ମଦ ସିରାଜ ଓ ଆକାଶଦୀପଙ୍କ ମଧ୍ୟରୁ କୌଣସି ଜଣେ ବୋଲରଙ୍କୁ ବାହାରେ ବସିବାକୁ ପଡିପାରେ । କାରଣ ଏ ପର୍ଯ୍ୟନ୍ତ ବୁମରାଙ୍କୁ ବାଦ୍ ଦେଲେ ଅନ୍ୟ ଦ୍ରୁତ ବୋଲର ଲୟରେ ନଜର ଆସି ନାହାନ୍ତି । ଏହା ବ୍ୟତୀତ ଶୁଭମନ ଗିଲ ମଧ୍ୟ ବାଦ୍ ପଡି ପାରନ୍ତି । କାରଣ ସେ ଲଗାତାର ବିଫଳ ହୋଇ ଚାଲିଛନ୍ତି ।
ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳର ସମ୍ଭାବିତ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ଶୁଭମନ ଗିଲ୍, ବିରାଟ କୋହଲି, ରୋହିତ ଶର୍ମା, ଋଷଭ ପନ୍ତ(ୱିକେଟ୍ କିପର), ନୀତିଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଆକାଶଦୀପ ଓ ଯଶପ୍ରୀତ ବୁମରା ।