ମୁମ୍ବାଇ: ମହାରାଷ୍ଟ୍ରରେ ଶପଥ ନେବାର ଅନେକ ଦିନ ପରେ ଶନିବାର ବିଭାଗଗୁଡ଼ିକୁ ବିଭକ୍ତ କରାଯାଇଛି। ଏକନାଥ ସିନ୍ଦେଙ୍କୁ ୩ଟି ମନ୍ତ୍ରାଳୟ ଦିଆଯାଇଛି। ଯେଉଁଥିରେ ନଗର ଉନ୍ନୟନ, ଗୃହ ନିର୍ମାଣ ଓ ପୂର୍ତ୍ତ ବିଭାଗ ଶାମିଲ ରହିଛି। ଏକନାଥ ସିନ୍ଦେ ମଧ୍ୟ ଗୃହ ବିଭାଗ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ପଦ ଏବଂ ବିଭାଗ ମଧ୍ୟରେ ଥିବା ମତଭେଦଦୂର କରିବା ପାଇଁ ଦିଲ୍ଲୀରେ ଅମିତ ଶାହାଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଏକନାଥ ସିନ୍ଦେ, ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗୃହ ବିଭାଗକୁ ନିଜ ପାଖରେ ରଖିଛନ୍ତି। ଏହା ବ୍ୟତୀତ ଗୃହ, ଶକ୍ତି (ଅକ୍ଷୟ ଶକ୍ତି ବ୍ୟତୀତ), ଆଇନ ଏବଂ ନ୍ୟାୟପାଳିକା, ସାଧାରଣ ପ୍ରଶାସନ ବିଭାଗ, ସୂଚନା ଏବଂ ପ୍ରଚାର ମଧ୍ୟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପାଖରେ ରହିଛି। ଶିବସେନାର ଗୁଲାବରାଓ ପାଟିଲଙ୍କୁ ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ଦିଆଯାଇଛି। ଦାଦା ଭୁସେଙ୍କୁ ବିଦ୍ୟାଳୟ ଶିକ୍ଷା ବିଭାଗ, ସଞ୍ଜୟ ରାଠୋରଙ୍କୁ ଜଳ ଓ ଭୂମି ସଂରକ୍ଷଣ ବିଭାଗ, ଉଦୟ ସାୱନ୍ତଙ୍କୁ ଶିଳ୍ପ ଓ ମରାଠୀ ଭାଷା ବିଭାଗ ଏବଂ ଶମ୍ଭୁରାଜ ଦେଶାଇଙ୍କୁ ପର୍ଯ୍ୟଟନ ଓ ଖଣି ବିଭାଗ ଦିଆଯାଇଛି।
ଏନସିପି ତରଫରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଅର୍ଥ, ସମବାୟ, କୃଷି, ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ସହିତ ଖାଦ୍ୟ ଓ ଔଷଧ ପ୍ରଶାସନ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ଦାବି କରିଥିଲେ। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ, ଯୋଜନା ଓ ରାଜ୍ୟ ଅବକାରୀ ବିଭାଗ ମିଳିଛି।
ଏନସିପିର ମାଣିକରାଓ କୋକାଟେଙ୍କୁ କୃଷି ବିଭାଗ, ହାସନ ମୁଶରିଫଙ୍କୁ ମେଡିକାଲ ଶିକ୍ଷା ବିଭାଗ, ଧନଞ୍ଜୟ ମୁଣ୍ଡେଙ୍କୁ ଖାଦ୍ୟ, ନାଗରିକ ଯୋଗାଣ ଓ ଖାଉଟି ସୁରକ୍ଷା ବିଭାଗ ଦିଆଯାଇଛି। ଦତ୍ତାତ୍ରେୟ ଭର୍ଣ୍ଣେଙ୍କୁ କ୍ରୀଡ଼ା ଓ ଯୁବ କଲ୍ୟାଣ, ସଂଖ୍ୟାଲଘୁ ବିକାଶ ଏବଂ ଓକାଫ ଏବଂ ଅଦିତି ତଟକରେ ମହିଳା ଓ ଶିଶୁ କଲ୍ୟାଣ ଦାୟିତ୍ୱ ଦିଆଯାଇଛି। ସେହିପରି ପ୍ରତାପ ସରନାୟକଙ୍କୁ ପରିବହନ ବିଭାଗ ମିଳିଛି।