ନୂଆଦିଲ୍ଲୀ: କୁଏତ୍ରେ ପ୍ରବାସୀଙ୍କୁ ସ୍ୱତନ୍ତ୍ର ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଅଭିଯାନରେ ପ୍ରବାସୀ ଭାରତୀୟମାନେ ସାମିଲ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଗାମୀ ଦଶନ୍ଧିରେ ନବସୃଜନ, ସବୁଜ ଶକ୍ତି ଏବଂ ଇଲେକ୍ଟ୍ରୋନିକ୍ସର କେନ୍ଦ୍ର ଭାବରେ ଦେଶର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
କୁଏତର ଶେଖ୍ ସାଦ୍ ଅଲ୍ ଅବଦୁଲ୍ଲା ଇନ୍ଡୋର ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ 'ହାଲା ମୋଦୀ' କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ପୁରୁଣା ସମ୍ପର୍କ ଭବିଷ୍ୟତର ଭାଗିଦାରୀ ଗଠନ ପାଇଁ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବା ଉଚିତ। ୪୩ ବର୍ଷ ମଧ୍ୟରେ କୁଏତ ଗସ୍ତରେ ଯାଇଥିବା ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ବୋଲି ମୋଦୀ କହିଛନ୍ତି।
କୁଏତର ନେତା ଏବଂ ଲୋକମାନେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ଲକ୍ଷ ଲକ୍ଷ ସଂଖ୍ୟାରେ ଥିବା ଭାରତୀୟ ସମ୍ପ୍ରଦାୟର ଦକ୍ଷତା ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଭାରତୀୟ ଶିକ୍ଷକମାନେ ପରବର୍ତ୍ତୀ ପିଢ଼ିର କୁଏତ ନାଗରିକ ସୃଷ୍ଟି କରୁଥିବା ବେଳେ ଇଞ୍ଜିନିୟର ଓ ଆର୍କିଟେକ୍ଟଙ୍କ ଭଳି ପେସାଦାରମାନେ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ନିର୍ମାଣ କରୁଛନ୍ତି।
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଅଭିଯାନରେ ସାମିଲ ହେବାକୁ ପ୍ରବାସୀ ଭାରତୀୟଙ୍କୁ ଆମନ୍ତ୍ରଣ କରି ମୋଦୀ କହିଛନ୍ତି ଯେ ବିଶ୍ୱର ମଙ୍ଗଳକୁ ଦୃଷ୍ଟିରେ ରଖି ଦେଶ 'ବିଶ୍ୱ ବନ୍ଧୁ' ଭାବେ ଆଗେଇ ଚାଲିଛି। ଆଗାମୀ ବର୍ଷଗୁଡ଼ିକରେ ବିଶ୍ୱର ଦକ୍ଷ ମାନବ ସମ୍ବଳର ଚାହିଦା ପୂରଣ କରିବା ପାଇଁ ଭାରତ ପ୍ରସ୍ତୁତ ଥିବା ବେଳେ ମରିସସ୍, ଇଟାଲୀ ଓ ଜର୍ମାନୀ ସମେତ ପ୍ରାୟ ୨୪ଟି ଦେଶ ସହ ମାଇଗ୍ରେସନ୍ ଓ ମୋବିଲିଟି ଚୁକ୍ତି ସ୍ୱାକ୍ଷର କରିଛି।
ଭାରତ ଯେଉଁ ଅଗ୍ରଗତି କରିଛି, ବିଶେଷକରି ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଦେଶ ବର୍ତ୍ତମାନ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଫିନଟେକ୍, ଷ୍ଟାର୍ଟଅପ୍ ଏବଂ ଡିଜିଟାଲ୍ କନେକ୍ଟିଭିଟି କ୍ଷେତ୍ରରେ ଆମେ ବିଶ୍ୱସ୍ତରରେ ଅଗ୍ରଣୀ। ଭାରତର 'ବିକଶିତ ଭାରତ' ଏବଂ 'ନ୍ୟୁ କୁଏତ୍' ନୀତିର ଲକ୍ଷ୍ୟ ହେଉଛି ମିଳିତ ଉଦ୍ଦେଶ୍ୟ ଏବଂ ଉଭୟ ପକ୍ଷଙ୍କୁ ଏକାଠି କାମ କରିବାର ସୁଯୋଗ ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ଭାରତ ନବସୃଜନ, ସବୁଜ ଶକ୍ତି, ଔଷଧ, ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟରର କେନ୍ଦ୍ର ହେବ ବୋଲି ମୋଦୀ କହିଛନ୍ତି। ଅନ୍ୟପକ୍ଷରେ କୁଏତ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଏବଂ ବାଣିଜ୍ୟ ସହଯୋଗୀ ଏବଂ ଅନେକ କୁଏତ କମ୍ପାନୀପାଇଁ ଭାରତ ଏକ ପ୍ରମୁଖ ନିବେଶ ସ୍ଥଳ।
ଅଧିକ ପଢ଼ନ୍ତୁ: ବଳପୂର୍ବକ ନିଖୋଜ କରାଇବା ପଛରେ ଭାରତର ହାତ ରହିଛି