ନୂଆଦିଲ୍ଲୀ: ରୁଷର କଜାନ ସହରରେ ୯/୧୧ ପରି ଆକ୍ରମଣ ହୋଇଛି । ଏଠାରେ ତିନି ବଡ କୋଠା ଉପରେ ଡ୍ରୋନ ଜରିଆରେ ଆକ୍ରମଣ କରାଯାଇଛି । ରୁଷ ଉପରେ ଏହି ଆକ୍ରମଣ ପାଇଁ ୟୁକ୍ରେନକୁ ଦାୟୀ କରାଯାଇଛି । ମସ୍କୋରୁ ପ୍ରାୟ ୮୦୦ କିଲୋମିଟର ପୂର୍ବରେ ସ୍ଥିତ କଜାନ ସହରର ଜନବହୁଳ ଅଞ୍ଚଳକୁ ଟାର୍ଗେଟ୍ କରାଯାଇ ଏହି ଆକ୍ରମଣ କରାଯାଇଛି । ସାମାଜିକ ଗଣମାଧ୍ୟମରେ ଏହି ଆକ୍ରମଣର ଭିଡିଓ ଦେଖିବାକୁ ମିଳିଛି ।
ଏହି ଆକ୍ରମଣ ପରେ କଜାନ ବିମାନ ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ଏପିଏର ରିପୋର୍ଟ ଅନୁସାରେ, ଆକ୍ରମଣ କମଲିଭ ଏଭେନ୍ୟୁ, କ୍ଲାରା ଜେଟଲିନ, ହାଦି ତାକତଶ, କ୍ରାସ୍ନାୟା ପଜିସିଆ ଆଦି କୋଠାକୁ ଟାର୍ଗେଟ୍ କରାଯାଇଛି । ରିପବ୍ଲିକ ମୁଖ୍ୟ ରୁସ୍ତମ ମିନ୍ନିକାନୋଭ କହିଛନ୍ତି, କଜାନରେ ଆବାସିକ କୋଠାକୁ ଟାର୍ଗେଟ୍ କରାଯାଇଛି । ଏଥିରେ କୌଣସି ମୃତାହତର ଖବର ନାହିଁ ।
ଋୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ରୁଷର ଏୟାର ଡିଫେନ୍ସ ସିଷ୍ଟମ କଜାନ ସହର ଉପରେ ଏକ ୟୁକ୍ରେନି ଡ୍ରୋନକୁ ନଷ୍ଟ କରିଛି । ଏହି ଆକ୍ରମଣରେ ଅନେକ ଘରେ ନିଆଁ ଲାଗି ଯାଇଛି । ଡ୍ରୋନ ଆକ୍ରମଣରେ ଯେଉଁ କୋଠାଗୁଡିକରେ ନିଆଁ ଲାଗିଛି, ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ସବୁ ଜରୁରୀ ସେବା ଉପଲବ୍ଧ କରାଯିବ । ବିଲ୍ଡିଂରୁ ଉଦ୍ଧାର କରାଯାଇଥିବା ଲୋକଙ୍କୁ ଭୋଜନ ଓ ରହିବା ପାଇଁ ଆଶ୍ରୟସ୍ଥଳୀ ଯୋଗାଇ ଦିଆଯାଇଛି ।