ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ପିଥୋରାଗଡ଼ରେ ଭୟଙ୍କର ଭୂ-ସ୍ଖଳନ ହୋଇଛି । ଯାହାକି ସମସ୍ତଙ୍କ ଛାତି ଥରାଇଦେଇଛି । ଧାରଚୁଲା-ତବାଘାଟ ଜତୀୟ ରାଜପଥରେ ଏହିରେ ଭୂ-ସ୍ଖଳନ ହୋଇଛି । ଫଳରେ ଉକ୍ତ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଗୁଡ଼ିକ ଅଟକି ରହିଛି ।
ଭୂ-ସ୍ଖଳନ ଏତେ ଭୟାନକ ଥିଲା ଯେ ସମସ୍ତେ ଇଆଡ଼େ ସିଆଡ଼େ ଦୌଡ଼ିବାକୁ ଆରମ୍ଭ କରିଥିଲେ । ସେହି ସ୍ଥାନଟି ସମ୍ପୂର୍ଣ୍ଣ ଧୂଆଁ ମୟ ହୋଇଯାଇଥିଲା । ଏମିତିକି ୨୦୦ ମିଟର ପର୍ଯ୍ୟନ୍ତ ମାଟି ଖେଳାଇ ହୋଇଯାଇଥିଲା । ସେଠାରେ ଥିବା ଲୋକମାନେ ମୋବାଇଲ କ୍ୟାମେରାରେ ଦୃଶ୍ୟକୁ କଏଦ କରି ନେଇଥିଲେ ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ରାସ୍ତା ନିର୍ମାଣକାରୀ କମ୍ପାନୀ ହିଲବେଜ୍ ରାସ୍ତା ନିର୍ମାଣ ପାଇଁ ବାରୁଦ ବିସ୍ଫୋରଣ କରିଥିଲା । ଯଦ୍ୱାରା ଏହି ଭୂ-ସ୍ଖଳନ ହୋଇଥିଲା । ତେବେ ଏହି ଭୂ-ସ୍ଖଳନରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିବାବେଳେ ଜୀବନ ହାନୀର ମଧ୍ୟ କୌଣସି ସୂଚନା ନାହିଁ ।
ବର୍ଷା ଋତୁରେ ଅନେକ ସମୟରେ ଉତ୍ତରାଖଣ୍ଡରେ ଭୂ-ସ୍ଖଳନ ହୋଇଥାଏ । କିନ୍ତୁ ଶୀତ ଦିନେ ଏଭଳି ଭୟାନକ ଭୂ-ସ୍ଖଳନ ସମସ୍ତଙ୍କୁ ଚକିତ କରିଛି ।