ମଧ୍ୟପ୍ରଦେଶ: ନିର୍ବନ୍ଧ ପରେ ବାହାଘର ଭାଙ୍ଗିଲା ବୋଲି ରାଗରେ କନ୍ୟାକୁ ଅପହରଣ କଲା ବର । ଘରେ ପଶି କନ୍ୟାକୁ ଉଠାଇ ନେଇଛି ବର । ମଧ୍ୟପ୍ରଦେଶ ଭୋପାଳରୁ ଆସିଛି ଏଭଳି ଘଟଣା । ପୋଲିସ ଏହି ଅପହରଣ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଇମ୍ରାନ ଓ ତାର ସହଯୋଗୀଙ୍କୁ ଖୋଜୁଛି ।
ଘଟଣାନୁଯାୟୀ ୩ ମାସ ପୂର୍ବେ ଅଭିଯୁକ୍ତ ଇମ୍ରାନଙ୍କ ସହ ଜଣେ ୨୨ ବର୍ଷୀୟ ଯୁବତୀଙ୍କ ବିବାହ ସ୍ଥିର ହୋଇଥିଲା । ଦୁହିଁଙ୍କର ନିର୍ବନ୍ଧ ବି ସରିଥିଲା । ଆଉ ଅଳ୍ପ ଦିନରେ ସେମାନଙ୍କ ବିବାହ ହେବାର ଥିଲା, ତେବେ ବିବାହ ପୂର୍ବରୁ ଇମ୍ରାନ ଜଣେ ଅପରାଧୀ ବୋଲି ଜାଣିବାକୁ ପାଇଥିଲେ କନ୍ୟାଙ୍କ ପରିବାର । ର୍ପୂବରୁ ସେ ବିଭିନ୍ନ ମାମଲାରେ ଅନେକ ଥର ଥାନାକୁ ଯାଇଛନ୍ତି । ବିଭିନ୍ନ ଥାନାରେ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ନିଜ ଭାବି ଜ୍ୱାଇଁ ଜଣେ ଅପରାଧୀ ଜାଣିବା ପରେ ଘର ଲୋକେ ବିବାହକୁ ଭାଙ୍ଗି ଦେଇଥିଲେ, ଯେଉଁଥିରେ ଉତ୍ୟେକ୍ତ ପ୍ରତିଶୋଧ ଅପକ୍ଷୋରେ ରହିଥିଲେ ଇମ୍ରାନ ।
ନିଜ ସହଯୋଗୀଙ୍କ ସାଙ୍ଗରେ ଏକ ଅଟୋରେ ଯାଇ ସେ କନ୍ୟାକୁ ଅପହରଣ କରିନେଇଛି । ଅପହରଣ ବେଳେ ଘରେ ନମାଜ ପଢିଥିଲେ ଯୁବତୀ ଜଣକ । ଏଇ ସମୟରେ ଘର ଆଗରେ ଅଟୋ ରଖି ଘର ଭିତରକୁ ପଶିଥିଲେ ଇମ୍ରାନ । ପରିବାର ଲୋକଙ୍କ ସାମ୍ନାରେ ଟାଣି ଟାଣି ଯୁବତୀଙ୍କୁ ନେଇଥିଲେ ଅଭିଯୁକ୍ତ ଇମ୍ରାନ । ତେବେ ଅପହରଣ ବେଳେ ପରିବାର ଲୋକେ ଯେତେ କାକୁତିମିନତୀ ହୋଇଥିଲେ ବି କାହାରି କଥା ନଶୁଣି ଟାଣି ଟାଣି ଯୁବତୀଙ୍କୁ ନେଇ ଚାଲିଯାଇଥିଲେ ଇମ୍ରାନ ।
ତେବେ ଅପହରଣ ବେଳର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୋଲିସ ଏଇ ଘଟଣାରେ ଅଭିଯୁକ୍ତକୁ ଖୋଜିବା ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରିଛି ।