ଜୟପୁର: ଜୟପୁର ଅଗ୍ନିକାଣ୍ଡ ଘଟଣାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କ ହୃଦୟକୁ ଦୋହଲାଇଦେବ । ଅଗ୍ନିକାଣ୍ଡରେ ଜଳିଯାଇଛନ୍ତି ସ୍ତ୍ରୀ । ମୁଣ୍ଡଠୁ ଗୋଡ ଯାଏଁ ପୋଡିଯିବା ପରେ ତାଙ୍କ ଶରୀର ଚିହ୍ୱିବାଯୋଗ୍ୟ ହୋଇ ରହୁନାହିଁ, ହେଲେ ପାଦରେ ପିନ୍ଧିଥିବା ପାଉଁଜିକୁ ଦେଖି ଶବଟି ନିଜ ସ୍ତ୍ରୀର ବୋଲି ଜାଣି କାନ୍ଦି କାନ୍ଦି ଗଡୁଛି ସ୍ୱାମୀ । ଏମିତି ଘଟଣା ଘଟିଛି ପୋଲିସ କନେଷ୍ଟବଳ ଅନିତା ମିନାଙ୍କ ସ୍ୱାମୀ କହ୍ନେୟାଲାଲଙ୍କ ସହ । ସ୍ତ୍ରୀ ଦୁର୍ଘଟଣାର ଶିକାର ହେବା ଖବର ଶୁଣିବା ମାତ୍ରେ ତୁରନ୍ତ ସେ ଧାଇଁଯାଉଛନ୍ତି ହସ୍ପିଟାଲ, ଆଉ ସେଠାରେ ସ୍ତ୍ରୀର ପୋଡା ଶରୀରକୁ ଚିହ୍ନିବା କଷ୍ଟକର ହେଉଛି, ସ୍ତ୍ରୀ ପାଦରେ ପିନ୍ଧିଥିବା ପାଉଁଜି ଦେଖିବା ପରେ ଏଇ ଶବ ତାଙ୍କ ସ୍ତ୍ରୀର ବୋଲି ଜାଣି କାନ୍ଦି କାନ୍ଦି ତଳେ ଗଡୁଛନ୍ତି ।
ଜୟପୁର ଅଗ୍ନିକାଣ୍ଡରେ କେତେକ ମୃତକଙ୍କ ଅବସ୍ଥା ଏପରି ହୋଇଛି ଯେ ସେମାନଙ୍କ ଶବ ଚିହ୍ନିବା କଷ୍ଟକର ହୋଇପଡୁଛି । ଶବ ଚିହ୍ନିବା ପାଇଁ ସରକାର ଡିଏନଏ ଟେଷ୍ଟ କରାଇବାକୁ ନିଷ୍ପତି ନେଇଛନ୍ତି । ଏହି ଦୁର୍ଘଟଣାରେ ୧୪ ଜଣ ମୃତୁ୍ୟବରଣ କରିଛନ୍ତି । ୨୮ ଜଣ ଲୋକଙ୍କ ଶରୀର ୮୦ ପ୍ରତିଶତ ପୋଡିଯାଇଛି । ସେହିପରି ୩୦ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ତେବେ ମୃତକଙ୍କ ଭିତରେ ରାଜସ୍ଥାନ ପୋଲିସ କନେଷ୍ଟବଳ ଅନିତା ମିନା ସାମିଲ ଥିଲେ । ପ୍ରତିଦିନ ପରି ଘରୁ ବାହାରି ଡୁ୍ୟଟି ପାଇଁ ସେ ବସରେ ଯାଉଥିଲେ । ଆଉ ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।
ରାତି ୩ଟାରେ ବସରେ ବସେଇ ଘରକୁ ଫେରିଥିବା ସ୍ୱାମୀ କହ୍ନେୟାଲାଲ କେବେ ଭାବି ନଥିବେ ଯେ, ସେ ଆଉ ତାଙ୍କ ସ୍ତ୍ରୀକୁ ଦେଖିପାରିବେ ନାହିଁ । ତେବେ ଦୁର୍ଘଟଣା ପରେ ଅନୀତାଙ୍କ ସ୍ୱାମୀ ଏସଏମଏସ ହସ୍ପିଟାଲରେ ପହଞ୍ଚିଥିଲେ । ହସ୍ପିଟାଲ କର୍ମଚାରୀ ଆହତଙ୍କ ମଧ୍ୟରେ ଅନୀତାଙ୍କ ନାଁ ନଥିବା କହିଥିଲେ । ଏହା ଶୁଣି କୋହ ସମ୍ଭାଳି ନ ପାରି କହ୍ନେୟାଲାଲ ସିଧା ଶବଗୃହକୁ ଯାଇଥିଲେ । ଶବ ଗୃହରେ ରଖାଯାଇଥିବା ଶବକୁ ଗୋଟି ଗୋଟି କରି ଦେଖିଥିଲେ । ଅଧିକାଂଶ ଶବ ଏମିତି ପୋଡି ଯାଇଥିଲା ଯେ, ସେମାନଙ୍କୁ ଚିହ୍ନିବା କଷ୍ଟକର ହେଉଥାଏ । ଏହାରି ଭିତରେ ଏକ ଶବ ପାଖରେ ଅଟକି ଯାଇଥିଲା କହ୍ନେୟାଲାଲଙ୍କ ପାଦ । ଶବଟିର ମୁଣ୍ଡରୁ ଗୋଡ ଯାଏଁ ପୋଡି ହୋଇଯାଇଥିଲା, ହେଲେ ସେଇ ଶବ ତାଙ୍କ ପତ୍ନୀ ଅନୀତାଙ୍କ ବୋଲି କହି କାନ୍ଦି କାନ୍ଦି ଗଡିଥିଲେ କହ୍ନେୟାଲାଲ । କାରଣ ପତ୍ନୀ ପାଦରେ ପିନ୍ଧିଥିବା ପାଉଁଜି ଦେଖି ସେ ଏହାକୁ ଚିହ୍ନିପାରିଥିଲେ ।
୨୦ ଡିସେମ୍ବରରେ ଜୟପୁର ଅଜମେରର ଜାତୀୟ ରାଜପଥରେ ସକାଳ ପ୍ରାୟ ୬ଟା ସମୟରେ ଏଲପିଜି ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା ହେବା ହେବା ଫଳରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଶଦ୍ଦ ଏତେ ଭୟଙ୍କର ଥିଲା ଯେ, ପାଖାପଖି ୧୦ କିଲୋମିଟର ଯାଏଁ ଏହା ଶୁଣିବାକୁ ମିଳିଥିଲା । ଏହି ବିସ୍ପୋରଣ ଯୋଗୁଁ ୪୦ରୁ ଅଧିକ ଗାଡି ଜଳିଯାଇଥିଲା ।