ନୂଆଦିଲ୍ଲୀ: ଶିଶୁ ପ୍ରବଚକ ଅଭିନବ ଅରୋରାଙ୍କ ଚିନ୍ତା ବଢ଼ାଇଚନ୍ତି ଟ୍ରୋଲର୍ସ । ବିଭିନ୍ନ ୟୁଟ୍ୟୁବ ଚ୍ୟାନେଲରେ ତାଙ୍କୁ ଅନେକ ସମାଲୋଚନା କରାଯାଉଛି । ଯେଉଁଥିପାଇଁ ସେ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କ ଓକିଲ ପଙ୍କଜ ଆର୍ଯ୍ୟ ଏ ନେଇ ଉତ୍ତର ପ୍ରଦେଶର ମଥୁରାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅକ୍ଟୋବର ୨୮ରେ କଥା ବାଚକ ଅଭିନବ ଅରୋରାଙ୍କ ପକ୍ଷରୁ ୭ ଜଣ ୟୁଟ୍ୟର୍ସଙ୍କ ବିରୋଧରେ ଏତଲା ଦିଆଯାଇଛି । ଗୁରୁ ଶ୍ରୀ ରାମଭଦ୍ରାଚାର୍ଯ୍ୟ ତାଙ୍କ ଉପରେ କ୍ରୋଧ କରିବା ଭିଡ଼ିଓକୁ ନେଇ କିଛି ଲୋକ ନିଜର ବ୍ୟକ୍ତିଗତ ହିତ ସାଧନ ପାଇଁ ଏହାକୁ ଭାଇରାଲ କଲେ ଏବଂ ତାଙ୍କୁ ଟ୍ରୋଲ୍ କଲେ । ଯାହାକି ତାଙ୍କୁ ଅତ୍ୟନ୍ତ ପୀଡ଼ା ଦେଇଛି । ଶୁକ୍ରବାର ଏ ନେଇ କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ ସାଇବର ଥାନାର ରିପୋର୍ଟ ମାଗିଛନ୍ତି । ପରବର୍ତ୍ତୀ ଶୁଣାଣି ପାଇଁ ଜାନୁୟାରୀ 3କୁ ଦିନ ଧାର୍ଯ୍ୟ ହୋଇଛି । ଆଇନଗତ ପ୍ରକ୍ରିୟା ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଅଭିନବ ଅରୋରା ।
ଅଭିନବ ଅରୋରା ନିଜ ମାଆଙ୍କ ସହିତ କୋର୍ଟରେ ପହଁଚିଥିଲେ । ଏହି ସମୟରେ ସେ ନିଜର ଦୁଃଖ ବଖାଣିଛନ୍ତି । ଅଭିନବ କହିଛନ୍ତି, “ମୋ ଉପରେ ଯେତିକି ଅଭିଯୋଗ କରାଯାଇଛି, ମୁଁ ସେତିକି ଖରାପ ନୁହଁନ୍ତି । କିଛି ଲାଇକ୍ ଏବଂ ଭିଉଜ୍ ପାଇଁ ତାଙ୍କୁ ଟ୍ରୋଲ୍ କଲେ । ଏଥିରେ ସମସ୍ତେ ସାମିଲ ହୋଇଗଲେ । ରାଧା ନାମ ନେଉଥିବା ଲୋକଙ୍କୁ ଧନ୍ଦା ବୋଲି କହିଲେ । ମୁଁ କୃଷ୍ଣ ଭଗବାନଙ୍କର ଜଣେ ସେବକ ମାତ୍ର, ମୋର ଭକ୍ତିର ଏମାନେ ମଜା ଉଡ଼ାଇଲେ”।
ଓକିଲ ପଙ୍କଜ ଆର୍ଯ୍ୟଙ୍କ କହିବା ମୁତାବକ, କିଛି ଲୋକ ଅଭିନବ ଅରୋରା ଏବଂ ସନାତନ ଧର୍ମ ବିରୋଧରେ ପ୍ରଚାର ଆରମ୍ଭ କରିଛନ୍ତି । ସେଥିପାଇଁ ସେମାନଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅଭିନବ ଅରୋରା । ଆବଶ୍ୟକ ପଡ଼ିଲେ ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବୁ । କିଛି ୟୁଟ୍ୟୁବ୍ ଚ୍ୟାନେଲ୍ ମାଲିକଙ୍କ ବିରୋଧରେ ଥାନାରେ ଏଫ୍ଆଇଆର ଦିଆଯାଇଛି ବୋଲି କହିଛନ୍ତି ଆଇନଜୀବୀ ପଙ୍କଜ ଆର୍ଯ୍ୟ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଅଭିନବ ଅରୋରାଙ୍କ ବୟସ ମାତ୍ର ୧୦ ବର୍ଷ । ମାତ୍ର ଏହି ବିସ୍ମୟ ବାଳକ ଏତେ ଛୋଟ ବୟସରୁ କଥା ବାଚକ ଅଟନ୍ତି । ଗୁରୁ ଶ୍ରୀ ରାମଭଦ୍ରାଚାର୍ଯ୍ୟଙ୍କ କଥା ଚାଲିଥିବା ସମୟରେ ଅଭିନବ ମଞ୍ଚ ଉପରେ ଚଢ଼ି ନୃତ୍ୟୁ କରୁଥିଲେ । ସେତିକିବେଳେ ଗୁରୁ ଶ୍ରୀ ରାମଭଦ୍ରାଚାର୍ଯ୍ୟ ତାଙ୍କ ଉପରେ ରାଗିଯାଇ ମଞ୍ଚରୁ ଓହ୍ଲାଇଯିବାକୁ କହିଥିଲେ । ଆଉ ସେ ମଧ୍ୟ ବିନମ୍ରତାର ସହିତ ଓହ୍ଲାଇଆସିଥିଲେ । ନିକଟରେ ତାଙ୍କର ଉକ୍ତ ଭିଡ଼ିଓ ଭାଇରାଲ ହୋଇଥିଲା । ଯାହାକି ବର୍ଷକ ପୁରୁଣା ଭିଡ଼ିଓ ଥିଲା । କିନ୍ତୁ ତାଙ୍କୁ ଏଥିପାଇଁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା ।