ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପରେ ନୂଆ ବର୍ଷ । ଏହି ଦିନକୁ ପାଳନ କରିବା ପାଇଁ ଲୋକେ କେତେ କଣ ଯୋଜନା କରିଥାନ୍ତି । ଏହା ମଧ୍ୟରେ ଅଲ ଇଣ୍ଡିଆ ମୁସଲିମ ଜମାତ ପକ୍ଷରୁ ଫତୱା ଜାରି କରାଯାଇଛି । ଏଥିରେ ମୁସଲିମ ସଂପ୍ରଦାୟର ଯୁବକ ଓ ଯୁବତୀଙ୍କୁ ନୂଆ ବର୍ଷ ପାଳନ ନ କରିବାକୁ କୁହାଯାଇଛି । ଏପରିକି ଅଭିନନ୍ଦନ ଜଣାଇବାକୁ ମଧ୍ୟ ମନା କରାଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶାହବୁଦ୍ଦୀନ ରଜଭିଙ୍କ କହିବା କଥା ଏହି ନୂଆ ବର୍ଷର ଅର୍ଥ ଇଂରାଜୀ ନବବର୍ଷର ଆରମ୍ଭ ।
ରଜଭି କହିଛନ୍ତି, ଏହି ଫତୱା ଚସମେ ଦରଫତା ବରେଲି ପକ୍ଷରୁ ଜାରି କରାଯାଇଛି । ଏଥିରେ ମୁସଲିମ ସମୁଦାୟକୁ ନୂଆ ବର୍ଷ ଉତ୍ସବରେ ସାମିଲ ହେବାକୁ ମନା କରାଯାଇଛି । ଯେଉଁ ଯୁବକ ଓ ଯୁବତୀ ନୂଆବର୍ଷ ପାଳନ ଉତ୍ସବରେ ସାମିଲ ହୁଅନ୍ତି ସେମାନଙ୍କୁ ଫତୱାରେ କୁହାଯାଇଛି ଯେ, ନୂଆ ବର୍ଷ ପାଳନ କରିବା କୌଣସି ଗର୍ବର କଥା ନୁହେଁ ।
ସେ କହିଛନ୍ତି, ନା ଏହାର ଉତ୍ସବ ପାଳନ କରିବା ଉଚିତ୍ ନା ଅଭିନନ୍ଦନ ଜଣାଇବା ଉଚିତ୍ । ଏମିତି ଅଣ ଧାର୍ମିକ ଗତିବିଧି ମୁସଲମାନଙ୍କ ପାଇଁ ନିଷେଧ । ତେଣୁ ମୁସଲମାନ ଯୁବ ପିଢିଙ୍କୁ ନୂଆ ବର୍ଷ ପାଳନ ନ କରିବାକୁ କୁହାଯାଇଛି । ଏଥିରୁ ସେମାନେ ନିବୃତ୍ତ ରହିବା ଉଚିତ୍ । ମୁସଲମାନଙ୍କୁ ଧାର୍ମିକ କାମରେ ଲାଗିବା ଉଚିତ୍ ।