ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ୧୯୯୧ ପୂଜାସ୍ଥଳୀ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଦାୟର ହୋଇଥିବା ଆବେଦନର ଶୁଣାଣି ଗୁରୁବାର ସୁପ୍ରିମ୍କୋର୍ଟରେ ହେବ। ଏହି ଆଇନ ଅନୁଯାୟୀ, କୌଣସି ସ୍ଥାନର ଧାର୍ମିକ ଚରିତ୍ର ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଭଳି ରହିବ।
ଆଇନଜୀବୀ ତଥା ସାଂସଦ ଓୱେସି ୨୦୨୪ ଡିସେମ୍ବର ୧୭ତାରିଖରେ ଆଇନଜୀବୀ ଫୁଜାଇଲ ଅହମ୍ମଦ ଆୟୁବିଙ୍କ ଜରିଆରେ ଏହି ପିଟିସନ୍ ଦାଖଲ କରିଥିଲେ। ତେବେ ଡିସେମ୍ବର ୧୨ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୧୯୯୧ ଆଇନ ବିରୋଧରେ ସମାନ ଆବେଦନର ଶୁଣାଣି କରି ଧାର୍ମିକ ସ୍ଥଳ, ବିଶେଷ କରି ମସଜିଦ ଓ ଦରଗାହ ଉପରେ ପୁନରୁଦ୍ଧାର ପାଇଁ ବିଚାରାଧୀନ ମାମଲାଉପରେ କୌଣସି ଅନ୍ତରୀଣ କିମ୍ବା ଚୂଡ଼ାନ୍ତ ଆଦେଶ ଦେବା ଏବଂ ନୂତନ ଆବେଦନକୁ ଗ୍ରହଣ କରିବା ଉପରେ ରୋକ୍ ଲଗାଇଥିଲେ।
ଫଳରେ ୧୦ଟି ମସଜିଦର ମୌଳିକ ଧାର୍ମିକ ଚରିତ୍ର ଜାଣିବା ପାଇଁ ସର୍ଭେ ପାଇଁ ହିନ୍ଦୁ ପକ୍ଷ ଦାଖଲ କରିଥିବା ପ୍ରାୟ ୧୮ଟି ଆବେଦନର ଶୁଣାଣି ଉପରେ ସର୍ବୋଚ୍ଚ ଅଦାଲତ ରୋକ୍ ଲଗାଇଥିଲେ। ସେଗୁଡ଼ିକ ହେଲା ବାରାଣାସୀର ଜ୍ଞାନବାପି, ମଥୁରାର ଶାହି ଇଦ୍ଗାହ ମସଜିଦ ଓ ସମ୍ଭଲର ଶାହି ଜାମା ମସଜିଦ।
୭୦ ଜଣ ଓକିଲଙ୍କୁ ବରିଷ୍ଠ ଓକିଲ ଭାବେ ମନୋନୀତ କରିବା ନେଇ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି ଗୁରୁବାର ସୁପ୍ରିମ୍କୋର୍ଟରେ ହେବ। ସର୍ବୋଚ୍ଚ ନ୍ୟାୟାଳୟର ୱେବସାଇଟରେ ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଏହି ଆବେଦନର ଶୁଣାଣି ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ କରିବେ। ମୁମ୍ବାଇର ଆଇନଜୀବୀ ମାଥ୍ୟୁ ଜେ ନେଡୁମପଡ଼ା ଏହି ପିଟିସନ୍ ଦାଖଲ କରିଛନ୍ତି।
ଓକିଲମାନଙ୍କୁ ବରିଷ୍ଠ ଭାବେ ମନୋନୀତ କରିବାର ସମଗ୍ର ପ୍ରକ୍ରିୟା ପକ୍ଷପାତିତା, ପରିବାରବାଦ, ସଂରକ୍ଷଣବାଦ ଏବଂ ଅନ୍ୟାନ୍ୟ ବେଆଇନତା ସହିତ ଜଡ଼ିତ। ମନୋନୀତ ବରିଷ୍ଠ ଆଇନଜୀବୀଙ୍କ ପାଇଁ ପୃଥକ ଡ୍ରେସ୍ କୋଡ୍ ଆଇନଜୀବୀମାନଙ୍କ ମଧ୍ୟରେ ଏକ ଅନ୍ୟାୟ ବର୍ଗୀକରଣ ଏବଂ ଏହା ରଙ୍ଗଭେଦ ସମାନ ବୋଲି ଆବେଦନରେ ଦର୍ଶାଯାଇଛି।
ଅଧିକ ପଢ଼ନ୍ତୁ: ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି