ଇମ୍ଫାଲ: ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ଉତ୍ତେଜିତ ଜନତା ଏସପି କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଏସ୍ ପି ମନୋଜ ପ୍ରଭାକରଙ୍କ ସମେତ ଅନେକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଇମ୍ଫାଲ ପୂର୍ବ ଜିଲ୍ଲା ସୀମାରେ ଥିବା ସାଇବୋଲ ଗାଁରୁ ସୁରକ୍ଷା ବାହିନୀ ପ୍ରତ୍ୟାହାର କରିବାକୁ କୁକି ଲୋକମାନେ ଦାବି କରୁଛନ୍ତି। ଏସ୍ପି ଗାଁରୁ କେନ୍ଦ୍ରୀୟ ବାହିନୀକୁ ହଟାଇ ନାହାନ୍ତି ବୋଲି ସମ୍ପ୍ରଦାୟ ଅଭିଯୋଗ କରିଛି।
ଡିସେମ୍ବର ୩୧ ତାରିଖରେ ସାଇବୋଲ ଗାଁରେ ସୁରକ୍ଷା କର୍ମୀମାନେ ମହିଳାଙ୍କ ଉପରେ ଲାଠିମାଡ଼ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ କୁକି ସଂଗଠନର ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଗାଁରେ କେନ୍ଦ୍ରୀୟ ବାହିନୀ ବିଶେଷ କରି ବିଏସଏଫ ଓ ସିଆରପିଏଫର ଲଗାତାର ମୁତୟନକୁ ନେଇ କ୍ରୋଧ ପ୍ରକାଶ କରିବା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଆକ୍ରମଣକାରୀମାନେ ଏସପିଙ୍କ କାର୍ଯ୍ୟାଳୟ ଉପରକୁ ଗୁଳି ଚଳାଇବା ସହ ପଥର ଫିଙ୍ଗିଥିଲେ। ଅନେକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି।
ସୁରକ୍ଷା ବାହିନୀର ଜବାବରେ ଅନେକ ବିକ୍ଷୋଭକାରୀ ମଧ୍ୟ ଆହତ ହୋଇଛନ୍ତି। ଆକ୍ରମଣରେ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଛିଡ଼ା ହୋଇଥିବା ଜିଲ୍ଲା ପୁଲିସ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ଆହତ ହୋଇଥିବା ଏସ୍ ପି ମନୋଜ ପ୍ରଭାକର ଓ ଅନ୍ୟମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ ପଠାଯାଇଥିଲା। ଗତ ସପ୍ତାହରେ ସୁରକ୍ଷାବାହିନୀ ଗାଁ ଓ ଏହାର ଆଖପାଖ ଅଞ୍ଚଳରେ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ପରେ ଅପରେସନ୍ ଆରମ୍ଭ କରିଥିଲେ।
ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଜାତିଗତ ସଂଘର୍ଷ ପାଇଁ କ୍ଷମା ପ୍ରାର୍ଥନା କରିବା ପରେ ବିରୋଧୀଙ୍କ ଆକ୍ରମଣର ଜବାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ କହିଛନ୍ତି ଯେ ମଣିପୁର ସଂଘର୍ଷ ପାଇଁ ଯେଉଁମାନେ ତାଙ୍କ କ୍ଷମା ପ୍ରାର୍ଥନାକୁ ନେଇ ରାଜନୀତି କରୁଛନ୍ତି ସେମାନେ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଶାନ୍ତି ଫେରାଇ ଆଣିବା ସରକାରଙ୍କ ପ୍ରାଥମିକତା। ଅତୀତ ବିତିଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଅଷ୍ଟ୍ରେଲିଆର ସ୍କୋର ୧୦୧/୫