ଶ୍ରୀନଗର: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ରବିବାର ରାତିରେ ହୃଦୟବିଦାରକ ଘଟଣା ଘଟିଛି । ଏଠାରେ ଘରେ ଶୋଇଥିବା ଅବସ୍ଥାରେ ଶ୍ବାସରୁଦ୍ଧ ହୋଇ ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧ ମାସର ଶିଶୁ ଏବଂ ଜଣେ ୧୮ ମାସର ଶିଶୁପୁତ୍ର ସାମିଲ।
ସୂଚନା ଅନୁଯାୟୀ, ଶ୍ରୀନଗରର ପନ୍ଦ୍ରାଥନ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ପନ୍ଦ୍ରାଥନୀରେ ଭଡ଼ାରେ ରହୁଥିବା ପରିବାରର ପାଞ୍ଚ ସଦସ୍ୟଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି। ଅଧିକାରୀ କହିଛନ୍ତି ବାରାମୂଳାରେ ରହୁଥିବା ଏହି ପରିବାର ପନ୍ଦ୍ରାଥନରେ ଭଡ଼ାରେ ରହୁଥିଲେ। ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ମୃତକଙ୍କ ମଧ୍ୟରେ ଏଜାଜ ଅହମଦ ଭଟ୍ଟ (୩୮), ତାଙ୍କ ପତ୍ନୀ ସଲୀମା (୩୨) ଏବଂ ତାଙ୍କ ତିନି ସନ୍ତାନ, ଅରିବ (୩), ହମଜା (୧୮) ଏବଂ ଆଉ ଜଣେ ୧ ମାସର ଶିଶୁ ସାମିଲ। ସେପଟେ ମୁଖ୍ୟମନ୍ତ୍ରୀ ଓମର ଅବଦୁଲା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି।
କାହିଁକି ଘଟୁଛି ମୃତ୍ୟୁ
ଶୀତ ଋତୁରେ ଗ୍ୟାସ୍ ହିଟର ଓ ଖୋଲା କୋଇଲା ଚୁଲା ଉପକରଣ ବ୍ୟବହାରରୁ କାର୍ବନ ମୋନୋକ୍ସାଇଡ ନିର୍ଗତ ହୋଇଥାଏ । ପରିଣାମ ସ୍ୱରୂପ ମୃତ୍ୟୁ ଘଟିଥାଏ । ଅଧିକାରୀ ଏହି ଧରଣର ଖୋଲା ଜାଳ ଉପକରଣ ବ୍ୟବହାର କରିବା ସମୟରେ ସାବଧାନ ରହିବାକୁ ପରାମର୍ଶ ଦେଇଛି । କାରଣ ପାଣିପାଗ ବିଭାଗ ଆଗାମୀ ୨୪ ଘଂଟାରେ କାଶ୍ମୀରରେ ଅଧିକ ବରଫପାତର ଭବିଷ୍ୟତବାଣୀ କରିଛି ।