ନୂଆଦିଲ୍ଲୀ: ସିଡନୀ ଟେଷ୍ଟ ତିନି ଦିନରେ ସରି ଯିବାରୁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ଫସି ରହିଛି । ଭାରତୀୟ ଦଳର ଦୀର୍ଘ ଦୁଇ ମାସର ଲମ୍ବା ଗସ୍ତର ସମାପ୍ତ ଜାନୁଆରୀ ୭ ତାରିଖ ହେବାର ଥିଲା ଏବଂ ପୂରା ଦଳ ୮ ତାରିଖରେ ସ୍ୱଦେଶ ଫେରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ମ୍ୟାଚ୍ ଦୁଇ ଦିନ ପୂର୍ବରୁ ସମାପ୍ତ ହେବାରୁ ଦଳ ଅଷ୍ଟ୍ରେଲିଆରେ ରହିବାକୁ ପଡିଛି । ବିସିସିଆଇ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଫେରିବା ପାଇଁ ଟିକେଟର ବନ୍ଦୋବସ୍ତ କରୁଛି । ଯେମିତି ଟିକେଟ୍ ବ୍ୟବସ୍ଥା ହୋଇଯିବ ଖେଳାଳି ଘରକୁ ଫେରିବେ । ଉଲ୍ଲେଖନୀୟ ୫ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଘରୋଇ କଙ୍ଗାରୁ ଦଳଠୁ ୧-୩ରେ ସିରିଜ୍ ହାରିଛି । ଆଉ ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ସିରିଜ୍ ଜିତିବାରେ ସଫଳ ହୋଇଛି ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ଖେଳାଳିଙ୍କ ପାଇଁ ଟିକେଟ୍ ବନ୍ଦୋବସ୍ତ କରାଯାଉଛି । ଲଜିଷ୍ଟିକ୍ସ ମ୍ୟାନେଜର ଦଳ ପାଇଁ ଏହା ଉପରେ କାମ କରୁଛନ୍ତି । ଯେମିତି ଟିକେଟ୍ ବ୍ୟବସ୍ଥା ହୋଇଯିବ ଖେଳାଳି ନିଜ ନିଜ ଘରକୁ ବାହୁଡିବେ । ଏହାର ଅର୍ଥ ସବୁ ଖେଳାଳି ଏକ ସଙ୍ଗେ ଭାରତ ଫେରିବେ ନାହିଁ । କାରଣ ସମସ୍ତେ ଗୋଟିଏ ଜାଗାକୁ ଯିବେ ନାହିଁ ।
ଦଳ ଅନେକ ବ୍ୟାଚରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲା । ପ୍ରଥମ ଖେଳାଳି ଭାବେ ବିରାଟ କୋହଲି ନଭେମ୍ବର ୧୦ରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ । ଏହା ପରେ ଆଉ ଦୁଇଟି ବ୍ୟାଚରେ ଦଳର ଖେଳାଳି ପହଞ୍ଚିଥିଲେ । ଏହି ଗସ୍ତରେ ଭାରତ ପ୍ରଥମ ମ୍ୟାଚ୍ ୨୯୫ ରନରେ ଜିତିଥିଲେ ହେଁ ଦ୍ୱିତୀୟ ମ୍ୟାଚ୍ ପରାଜିତ ହୋଇଥିଲା । ତୃତୀୟ ମୁକାବିଲା ବର୍ଷା ଯୋଗୁଁ ଡ୍ର ରହିଥିବା ବେଳେ ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସିରିଜରେ ୩-୧ରେ ବିଜୟ ଲାଭ କରିଛି ।