ପାଟନା: ବିପିଏସସି (ବିହାର ପବ୍ଲିକ ସର୍ଭିସ କମିଶନ) ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ବିହାରର ରାଜଧାନୀ ପାଟଣାସ୍ଥିତ ଗାନ୍ଧୀ ପଡ଼ିଆରେ ଆମରଣ ଅନଶନରେ ବସିଥିବା ଜନ ସୁରଜ ପାର୍ଟି (ଜେଏସ୍ୟୁପି)ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ପୁଲିସ ସୋମବାର ଭୋର ୪ଟାରେ ନିଜ ହେପାଜତକୁ ନେଇଛି। ଏହା ପରେ ପୁଲିସ ତାଙ୍କୁ ଗିରଫ କରିବା ସହ ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି।
ପ୍ରବଳ ଥଣ୍ଡାରେ ପ୍ରଶାନ୍ତ କିଶୋରଙ୍କ ସମେତ ଅନ୍ୟମାନେ କମ୍ବଳ ତଳେ ଶୋଇଥିଲେ। ପ୍ରଶାନ୍ତ କିଶୋରଙ୍କ ସହ ଶହଶହ ଛାତ୍ରଛାତ୍ରୀ ଏବଂ ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅରବିନ୍ଦ ଠାକୁର ମଧ୍ୟ ଶୋଇଥିଲେ। ଏହି ସମୟରେ ପୁଲିସ ସମସ୍ତଙ୍କୁ ଉଠାଇ ନେଇଛି। ପ୍ରଶାନ୍ତ କିଶୋରଙ୍କୁ ଆମ୍ବୁଲାନ୍ସରେ ବସାଇ ଦିଆଯାଇଥିଲା। ଏହାପରେ ପୁଲିସ ପିକେଙ୍କୁ ପାଟନା ଏମ୍ସକୁ ନେଇଥିଲା।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୁଲିସ ପ୍ରଶାନ୍ତଙ୍କୁ ମଞ୍ଚରୁ ଉଠାଇ ନେଉଛି। ତାଙ୍କ ସମର୍ଥକମାନେ ତାଙ୍କ ସହ ଅଛନ୍ତି। ତାଙ୍କୁ ଆମ୍ବୁଲାନ୍ସଯୋଗେ ଗାନ୍ଧୀ ମଇଦାନରୁ ବାହାରକୁ ନିଆଯାଇଥିଲା। ଅଟକ ରହିବା ପରେ ସେ ତାଙ୍କ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ।
ପୁଲିସ ଦ୍ବାରା ଅଟକ ହେବା ପୂର୍ବରୁ ପ୍ରଶାନ୍ତ କିଶୋର କହିଛନ୍ତି, ଆମେ ଏହାକୁ (ପ୍ରତିବାଦ) ଜାରି ରଖିବୁ କି ନାହିଁ ତାହା ଆମ ପାଇଁ ସ୍ଥିର କରିବା କଥା ନୁହେଁ। ଆମେ ବର୍ତ୍ତମାନ ଯାହା କରୁଛୁ ତାହା ଜାରି ରଖିବୁ, ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆମେ (ଜନ ସୁରଜ ପାର୍ଟି) ୭ ତାରିଖରେ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିବୁ। "