ସିଡ୍ନୀ: ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଶେଷ ପରୀକ୍ଷାରେ ଭାରତ-ଅଷ୍ଟ୍ରେଲିଆ ସିଡନୀରେ ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିଣି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନରେ ଶୁକ୍ରବାର ଲୟହୀନ ଭାରତୀୟ ଦଳ ପ୍ରଥମ ପାଳିରେ ମାତ୍ର ୧୮୫ ରନ୍ କରି ସମସ୍ତ ୱିକେଟ୍ ହରାଇ ଥିଲା। ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ବରେ ଭାରତ ଗତକାଲି ଅଷ୍ଟ୍ରେଲିଆକୁ ୩ ଓଭର ଭିତରେ ଉସମାନ୍ ଖୱଜା (୨)ଙ୍କୁ ଆଉଟ୍ କରିଥିଲା। ଘରୋଇ ଦଳ ମାତ୍ର ୯ ରନ୍ କରିଥିଲା।
ମୁକାବିଲାର ଦ୍ବିତୀୟ ଦିନରେ ଶନିବାର ଭାରତୀୟ ବୋଲରମାନେ ଦମଦାର ବୋଲଂ କରିଛନ୍ତି। ଅଷ୍ଟ୍ରେଲିଆ ୧୦୦ ରନ୍ ପୂରା କରିବା ପୂର୍ବର ଆଗଧାଡ଼ିର ୫ ଜଣ ଖେଳାଳିକୁ ହରାଇ ସାରିଛି। ପ୍ରସିଦ୍ଧ କ୍ରିଷ୍ଣା ୩୩ ରନ୍ ସ୍କୋରରେ ଷ୍ଟିଭ୍ ସ୍ମିଥଙ୍କୁ କେଏଲ୍ ରାହୁଲଙ୍କ ହାତରେ କ୍ୟାଚ୍ କରାଇଥିଲେ। ଏବେ ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ୯୬ ରନ୍ କରିଛି। ରିପୋର୍ଟ ଲେଖାଯିବା ବେଳକୁ ବିଉ ୱେବଷ୍ଟର ଏବେ ବି ୨୮ ରନ୍ କରି କ୍ରିଜ୍ରେ ଅଛନ୍ତି। ସ୍ମିଥଙ୍କ ସ୍ଥାନରେ ଆଲେକ୍ସ କେରି ପଡ଼ିଆକୁ ଆସିଛନ୍ତି। ଅଷ୍ଟ୍ରେିଲିଆ ୫ଟି ୱିକେଟ୍ ହରାଇ ୧୦୧ ରନ୍ କରିଥିବା ବେଳେ ଭାରତ ତୁଳନାରେ ୮୪ ରନ୍ ପଛରେ ଅଛି।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ପ୍ରାରମ୍ଭିକ ବ୍ୟାଟର ସାମ କୋନ୍ଷ୍ଟାସ ୨୩ ରନ୍, ମାର୍ନସ ଲାବୁସାନ୍ ୨ ରନ୍, ଟ୍ରାଭିସ୍ ହେଡ୍ ୪ ରନ୍ କରି ଆଉଟ୍ ହୋଇଥିଲେ। ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ହାତରେ ସାମ୍ କୋନ୍ଷ୍ଟାସ୍ ଓ ଟ୍ରାଭିସ୍ ହେଡ୍ ଆଉଟ୍ ହୋଇଥିଲେ। ଉସ୍ମାନ ଖୱାଜା ଓ ମାର୍ନସ ଲାବୁସାନଙ୍କୁ ବୁମରା ଆଉଟ୍ କରିଥିବା ବେଳେ ପ୍ରସିଦ୍ଧ କୃଷ୍ଣାଙ୍କ ବୋଲ୍ରେ ସ୍ମିଥ ପାଭିଲିଅନ୍କୁ ଫେରି ଯାଇଥିଲେ।