ନୂଆଦିଲ୍ଲୀ: ସିଡନୀରେ ଖେଳାଯାଇଥିବା ୨୦୨୫ର ପ୍ରଥମ ଟେଷ୍ଟରେ ପରାଜୟ ସହ ଭାରତୀୟ ଦଳ ୨୦୨୪-୨୫ ବୋର୍ଡର-ଗାଭାସ୍କର ଟ୍ରଫିହାରିଛି। ଏହି ସିରିଜରେ ପରାଜୟ ପରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଋଷି ଧାୱନ ଅବସର ଘୋଷଣା କରିଛନ୍ତି। ସେ ରବିବାର ସୋସିଆଲ ମିଡିଆ ଜରିଆରେ ଅବସର ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଋଷି ଧାୱନ୍ କେବଳ ସୀମିତ ଓଭର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ହିମାଚଳ ପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳିଥିବା ଋଷି ନିଜ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ ସେ କେବଳ ସୀମିତ ଓଭର କ୍ରିକେଟରୁ ଅବସର ନେଉଛନ୍ତି। ଅର୍ଥାତ୍ ସେ ରଣଜୀ ଟ୍ରଫି ଖେଳୁଥିବାର ଦେଖିବାକୁ ମିଳିଛି। ଋଷି ଭାରତ ପକ୍ଷରୁ ଧଳା ବଲ୍ କ୍ରିକେଟ୍ ଖେଳିଥିଲେ। ସେ ୨୦୧୬ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ଏବଂ ସେହି ବର୍ଷ ସେ ଦଳରୁ ବାଦ୍ ପଡ଼ିଥିଲେ ଏବଂ ଆଉ କେବେ ବି ଖେଳି ପାରିନଥିଲେ।
ଭାରି ହୃଦୟରେ ଯଦିଓ ମୋର କୌଣସି ଦୁଃଖ ନାହିଁ, ତଥାପି ମୁଁ ଭାରତୀୟ କ୍ରିକେଟ୍ (ସୀମିତ ଓଭର)ରୁ ଅବସର ଘୋଷଣା କରିବାକୁ ଚାହୁଁଛି। ଏହା ଏପରି ଏକ ଖେଳ ଯାହା ଗତ ୨୦ ବର୍ଷ ଧରି ମୋ ଜୀବନକୁ ସଂକଳ୍ପିତ କରିଛି। ଏହି ଖେଳ ମୋତେ ଅସୀମ ଆନନ୍ଦ ଏବଂ ଅଗଣିତ ସ୍ମୃତି ଦେଇଛି ଯାହା ସର୍ବଦା ମୋ ହୃଦୟର ଅତି ନିକଟତର ରହିବ |
ମୋତେ ମିଳିଥିବା ସୁଯୋଗ ପାଇଁ ମୁଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ), ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍, ପଞ୍ଜାବ କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସକୁ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି।
ଋଷି ଟିମ୍ ଇଣ୍ଡିଆ ପାଇଁ ୩ଟି ଦିନିକିଆ ଓ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଦିନିକିଆରେ ସେ ୧୨ ରନ୍ କରିବା ସହ ଗୋଟିଏ ୱିକେଟ୍ ନେଇଥିଲେ। ଏହାବ୍ୟତୀତ ଟି-୨୦ ଅନ୍ତର୍ଜାତୀୟରେ ସେ ୧ ରନ୍ କରିବା ସହ ୧ଟି ୱିକେଟ୍ ନେଇଥିଲେ। ଋଷି ଜାନୁଆରୀ ୨୦୧୬ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ଏବଂ ଜୁନ୍ ୨୦୧୬ରେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଥିଲେ।