ନୂଆଦିଲ୍ଲୀ: ସମଗ୍ର ଭାରତରେ ଏବେ ଶୀତଲହରୀ ଜାରି ରହିଛି। ଉତ୍ତର ଭାରତରେ ସ୍ଥିତି ସଂଗୀନ ଅବସ୍ଥାରେ ପହଞ୍ଚିଛି। ପର୍ବତରେ ତୁଷାରପାତ ସଙ୍କଟର ପ୍ରଭାବ ପକାଇଥିବା ବେଳେ ସମତଳ ଅଞ୍ଚଳରେ ମଧ୍ୟ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳୁଛି। କାଶ୍ମୀରର ଉଚ୍ଚତା ଅଞ୍ଚଳ ଧଳା ଚାଦରରେ ଆଚ୍ଛାଦିତ ହୋଇଥିବାରୁ ଉତ୍ତର ଭାରତର ସମସ୍ତ ରାଜ୍ୟରେ ଥଣ୍ଡା ଅନୁଭୂତ ହେଉଛି। ସକାଳେ ଓ ସନ୍ଧ୍ୟାରେ ପବନ ବହିଥାଏ। ସେପଟେ ରାତି ଓ ସକାଳୁ ଅନେକ ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳୁଛି।
ତେବେ ଆଜି ଦିଲ୍ଲୀବାସୀଙ୍କୁ କୁହୁଡ଼ିରୁ ମୁକ୍ତି ମିଳୁଛି। ଏଥିସହିତ ଅନେକ ଜିଲ୍ଲାରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଆସିଛି। ପାଟନା, ନୋଏଡାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲକୁ ଛୁଟି ଦିଆଯାଇଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ମାଇନସ୍ ୪ ଡିଗ୍ରି ତଳକୁ ଖସିଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ସୋମବାର ଏବଂ ମଙ୍ଗଳବାର କାଶ୍ମୀର ସମେତ ଜମ୍ମୁ ଡିଭିଜନର ଉପରମୁଣ୍ଡରେ ପ୍ରବଳ ତୁଷାରପାତ ହେବ। ସୋମବାର ହିମାଚଳ ପ୍ରଦେଶର ଉପର ମୁଣ୍ଡରେ ତୁଷାରପାତ ଓ ତଳିଆ ଅଞ୍ଚଳରେ ବର୍ଷା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି।
ପର୍ବତ ଉପରେ ସକ୍ରିୟ ପଶ୍ଚିମ ବିକ୍ଷୋଭ ଯୋଗୁଁ ପଶ୍ଚିମ ପବନ ଏବେ ପୂର୍ବ ଦିଗକୁ ଗତି କରିବ, ଯାହା ତାପମାତ୍ରା ବୃଦ୍ଧି କରିପାରେ। ଜାନୁଆରି ୬ରେ ପଶ୍ଚିମ ବିକ୍ଷୋଭ ପ୍ରଭାବରେ ଉତ୍ତରପ୍ରଦେଶର ମୁରାଦାବାଦ, ସମ୍ଭାଲ, ଅମରୋହା, ରାମପୁର ଓ ବିଜନୋର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
ହରିୟାଣାର ସିରସା, ହିସାର, ଫତେହାବାଦ, ଭିୱାନୀ, ଜିନ୍ଦ, ଅମ୍ବାଲା ଓ କର୍ନାଲ ଜିଲ୍ଲାରେ ଶୀତ ଦିବସ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବର ଭଟିଣ୍ଡା, ବରନାଲା, ମୁକ୍ତସର, ମୋଗା ଓ ଚଣ୍ଡିଗଡ଼ ସମେତ ଅନେକ ଜିଲ୍ଲାରେ ଘନ କୁହୁଡ଼ି ଓ ଶୀତ ଲହରୀ ସତର୍କ ସୂଚନା ଜାରି କରାଯାଇଛି।
ଅଧିକ ପଢ଼ନ୍ତୁ: ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍