ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ତର୍କ ବିତର୍କ ସେତିକି ବଢ଼ିବାରେ ଲାଗିଛି । ଆସନ୍ତା ସପ୍ତାହରେ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରି ପାରନ୍ତି । ଏହାରି ମଧ୍ୟରେ କଂଗ୍ରେସ ତାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ଦଳ ଆତିଶୀ ମାର୍ଲେନାଙ୍କ ବିପକ୍ଷରେ ମହିଳା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ଅଳକା ଲାମ୍ବାଙ୍କୁ ମଇଦାନକୁ ଓହ୍ଲାଇଛି । କାଲକାଜୀ ଆସନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଅଳକାଙ୍କ ମଧ୍ୟରେ କଡ଼ା ଟକ୍କର ହେବ ।
ନୂଆ ବର୍ଷ ଆରମ୍ଭରୁ ଅଳକା ଲାମ୍ବା କାଲକାଜୀ ମନ୍ଦିର ଯାଇ ଦର୍ଶନ କରିଥିଲେ । ତେଣୁ ସେ ଏହି ଆସନରୁ ଲଢ଼ିପାରନ୍ତି ବୋଲି ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା । ତେବେ ବିଜେପି ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିଲେ ସୁଦ୍ଧା ଦକ୍ଷିଣ ଦିଲ୍ଲୀର ପୂର୍ବତନ ସାଂସଦ ରମେଶ ବିଧୁଡ଼ୀଙ୍କୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଏହି ଚର୍ଚ୍ଚା ସତ ହୁଏ ତେବେ କାଲକାଜୀ ଆସନର ଲଢ଼େଇ ରୋଚକ ଏବଂ ରୋମାଞ୍ଚକ ହୋଇପାରେ ।
୨୦୧୫ରେ ଅଳକା ଲାମ୍ବା ଆପ୍ ଦଳରୁ ଚାନ୍ଦନୀ ଚୌକ ଆସନରୁ ଲଢ଼ି ବିଜୟ ହାସଲ କରିଥିଲେ । କିନ୍ତୁ ୨୦୨୦ରେ ସେ ଏହି ଆସନରୁ ଲଢ଼ି ହାରିଯାଇଥିଲେ । ମାତ୍ର ଚଳିତ ଥର ଦଳ ଉକ୍ତ ଆସନକୁ ଜେପି ଅଗ୍ରୱାଲଙ୍କ ପୁଅ ମୁଦିତ ଅଗ୍ରୱାଲଙ୍କୁ ଟିକେଟ୍ ଦେଇଛି ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବାବେଳେ ସେ ରାଜନୀତି ଜଗତରେ ପାଦ ଥାପି ଥିଲେ । ୨୦୦୩ରେ ବିଜେପିର ଦିଗ୍ଗଜ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କ ବିପକ୍ଷରେ ଲଢ଼ି ଚର୍ଚ୍ଚାକୁ ଆସିଥିଲେ । ଦୀର୍ଘ ୨୦ ବର୍ଷ କଂଗ୍ରେସରେ ରହିବା ପରେ ୨୦୧୪ ଡିସେମ୍ବର ୨୬ ତାରିଖରେ ସେ ଦଳରୁ ଇସ୍ତଫା ଦେଇ ଆପରେ ସାମିଲ ହୋଇଥିଲେ । ୨୦୧୫ରେ ଅଳକା ଲାମ୍ବା ଆପ୍ ଦଳରୁ ଚାନ୍ଦନୀ ଚୌକ ଆସନରୁ ଲଢ଼ି ବିଜୟ ହାସଲ କରିଥିଲେ । ମାତ୍ର ସେ ଦଳରେ ନିଜକୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଆମ ଆଦମୀ ପାର୍ଟୀରୁ ଇସ୍ତଫା ଦେଇ ପୁଣି କଂଗ୍ରେସକୁ ଘର ବାହୁଡ଼ା କରିଥିଲେ ।
କଂଗ୍ରେସ ଏଯାବତ୍ ଦିଲ୍ଲୀ ବିଧାନସଭା ପାଇଁ ୪୮ ଜଣଙ୍କ ନାମ ଘୋଷଣା କରି ସାରିଛି । ଯେଉଁଥିରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ପୂର୍ବତନ ସାଂସଦ ସନ୍ଦୀପ ଦୀକ୍ଷିତଙ୍କୁ ଟିକେଟ୍ ଦେଇଛି । ସେହିପରି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହିତ ଲଢ଼ିବାକୁ ଫରହାଦ ସୁରୀଙ୍କ ଉପରେ ଦଳ ଭରସା କରିଛି ।