ଲକ୍ଷ୍ନୌ: ଅପରାଧି ବିରୋଧୀ ଅଭିଯାନରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶ ପୁଲିସ ଏବେ ନିଜର କାହାଣୀ ଜନତାଙ୍କ ସାମ୍ନାକୁ ଆଣିବାକୁ ଯାଉଛି । ୟୁଟ୍ୟୁବରେ ପୋଡକାଷ୍ଟ୍ ଆରମ୍ଭ କରିଛି ୟୁପି ପୋଲିସ । ପ୍ରୋଗାମର ନାମ ରହିଛି ‘ବିୟଣ୍ଡ୍ ଦ ବ୍ୟାଚ୍’ । ୟୁପି ପୋଲିସର ଅବସରପ୍ରାପ୍ତ ପୁଲିସ ଅଧିକାରୀମାନେ ନିଜର ଚାକିରି କାଳର ଅଭିଜ୍ଞତା ଏବଂ ଅନୁଭୂତି ବାଣ୍ଟିବେ । ପୁଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାରଙ୍କର ପ୍ରୟାସରେ ଏହା ଆରମ୍ଭ ହୋଇଛି ।
ପୋଡକାଷ୍ଟର ପ୍ରଥମ ଏପିସୋଡ୍ ମୁକ୍ତିଲାଭ କରିଛି । ଲକ୍ଷ୍ନୌ ଡିସିପି ରବୀନା ତ୍ୟାଗୀ ଏହାର ଉପସ୍ଥାପକ ରହିଛନ୍ତି । ଡିଜି ସିବିସିଆଇଡି ଏସ୍ ଏନ୍ ସାବତ ଅତିଥିଭାବେ ଅଂଶ ଗ୍ରହଣ କରି ନିଜ ୪୦ ବର୍ଷର ଅଭିଜ୍ଞତା ବିଷୟରେ ସବିଶେଷ ଆଲୋଚନା କରିଛନ୍ତି । ୧୯୯୦ ବ୍ୟାଚର ଏସ୍ ଏନ୍ ସାବତ ଅନେକ ଉପଲବ୍ଧି ହାସଲ କରିଛନ୍ତି । ସେ ଜଣ ଦକ୍ଷ ପୁଲିସ ଅଫିସରର ସହିତ ଭଲ ସାହିତ୍ୟିକ ମଧ୍ୟ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନତା ଓ ପୁଲିସ ମଧ୍ୟରେ ଏକ ସୁସମ୍ପର୍କ ସ୍ଥାପନା କରିବା । ଏହା ସହିତ ଆଗାମୀ ପୀଢ଼ୀର ପୁଲିସ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ଉତ୍ତର ପ୍ରଦେଶ ପୁଲିସ ଆଶା ରଖିଛି ।