ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ଘଟଣା ମନରୁ ଲିଭି ନ ଥିବା ବେଳେ ଦିଲ୍ଲୀରୁ ଆସିଛି ଆଉ ଏକ ପତ୍ନୀ ନିର୍ଯ୍ୟାତିତ ଖବର । ନୁଆବର୍ଷ ପୂର୍ବଦିନ ଅର୍ଥାତ୍ ୩୧ ଡିସେମ୍ବରରେ ଦିଲ୍ଲୀର ଜଣେ କାଫେ ମାଲିକ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।
ଦିଲ୍ଲୀର କଲ୍ୟାଣ ବିହାର ଅଞ୍ଚଳରେ ନିଜ ଘରୁ ଉଡବକ୍ସ କାଫେର ସହ ପ୍ରତିଷ୍ଠାତା ପୁନିତ୍ ଖୁରାନାଙ୍କ ମୃତଦେହ ଜବତ କରିଛି ପୋଲିସ । ୪୦ ବର୍ଷୀୟ ପୁନିତ୍ ନିଜ ପତ୍ନୀ ଓ ଶଶୁର ଘର ଲୋକଙ୍କ ପ୍ରତାରଣା ଯୋଗୁଁ ଏଭଳି ଚରମ ନିଷ୍ପତି ନେଇଥିବା ଅଭିଯୋଗ କରିଛନ୍ତି ପରିବାର । ସୂଚନା ମୁତାବିକ୍, ୨୦୧୬ରେ ବିବାହିତ ପୁନିତ୍ ଓ ତାଙ୍କ ସ୍ତ୍ରୀ ମନିକା ଜଗଦୀଶ ପହ୍ବାଙ୍କ ମଧ୍ୟରେ କାଫେ ବ୍ୟବସାୟକୁ ନେଇ ଝଗଡ଼ା ଲାଗିରହିଥିଲା। ଏଥିଯୋଗୁ ୨ ବର୍ଷ ହେଲା ସେମାନେ ଅଲଗା ରହୁଥିଲେ। ଉଭୟେ ପରସ୍ପରକୁ ଛାଡ଼ପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ। ପୁନିତଙ୍କ ବ୍ୟବସାୟରେ ମନିକା ପାର୍ଟନର ଥିଲେ। ସେ ପୁନିତଙ୍କ ଠାରୁ ବକେୟା ଟଙ୍କା ମାଗୁଥିଲେ। ଏତିକି ନୁହେଁ, ପୁନିତଙ୍କୁ ତାଙ୍କ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକେ ମାନସିକ ନିର୍ୟାତନା ଦେଉଥିଲେ ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପରିବାର ।
ପୁନିତ୍ ମୃତ୍ୟୁ ପୂର୍ବରୁ ନିଜ ମୋବାଇଲ ଫୋନରେ ଭିଡିଓ ଶୁଟିଂକରି ସବୁକଥା କହିଛନ୍ତି। ମନିକା ଓ ତାଙ୍କ ମା’ବାପା କିପରି ତାଙ୍କ ଉପରେ ମାନସିକ ଚାପ ପକାଉଥିଲେ ତାହା ମଧ୍ୟ ଏଥିରେ କହିଛନ୍ତି। ପୁନିତଙ୍କ ମୋବାଇଲକୁ ପୋଲିସ ଜବତ କରିଥିବା ବେଳେ ପତ୍ନୀ ମନିକାଙ୍କୁ ଜେରା କରିଛି ।
ତେବେ ଉଭୟଙ୍କ ମଧ୍ୟରେ କାଫେକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗିରହିଥିଲା । ପୁନିତ୍ ଓ ମନିକାଙ୍କ ବ୍ୟବସାୟିକ ମାମଲାକୁ ନେଇ ପୁନିତଙ୍କ ଭଉଣୀ କହିଛନ୍ତି, ପୂର୍ବରୁ ଉଭୟେ ପାର୍ଟନରସିପରେ ବେକେରି ବିଜ୍ନେସ କରୁଥିଲେ। କିନ୍ତୁ ଛାଡ଼ପତ୍ର ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ ନିଷ୍ପତ୍ତି ନିଆଗଲା ଯେ, ପୁନିତ୍ ଫର୍ ଗଡ୍ସ ବେକେରି ଚଳାଇବେ ଏବଂ ମନିକା ଉଡ୍ବକ୍ସ କାଫେ ପରିଚାଳନା କରିବେ। ଏନେଇ ଚୁକ୍ତିନାମାରେ ସ୍ବାକ୍ଷର କରାଯାଇଥିଲା। ଏହା ପରେ ମଧ୍ୟ ମନିକା ନିଜ ଶେୟାର ଛାଡ଼ିବେ ନାହିଁ ବୋଲି ଜିଦ୍ କରୁଥିଲେ।
ମଙ୍ଗଳବାର ଉଭୟ ମଧ୍ୟରେ ବ୍ୟବସାୟକୁ ନେଇ ଭୀଷଣ ଝଗଡା ଲାଗିଥିଲା । ଏହାପରେ ପୁନିତ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।