କାନପୁର: ଉତ୍ତରପ୍ରଦେଶର କାନପୁରରେ ରେଳଲାଇନରେ ସିଲିଣ୍ଡର ମିଳିବା ଘଟଣା ଜାରି ରହିଛି। ଶିବରାଜପୁର ଅଞ୍ଚଳରେ ରେଳଧାରଣା ନିକଟରୁ ୫ କିଲୋ ଓଜନର ଏଲପିଜି ସିଲିଣ୍ଡର ମିଳିଛି। ସିଲିଣ୍ଡର ଖାଲି ଥିଲା ଏବଂ ଏକ ବ୍ୟାଗରେ ରଖାଯାଇଥିଲା। ଚିନ୍ତାର ବିଷୟ ହେଉଛି, ୪ ମାସ ତଳେ ଏହି ଅଞ୍ଚଳରେ କାଳିନ୍ଦୀ ଏକ୍ସପ୍ରେସ୍ ଟ୍ରେନ୍କୁ ଟ୍ରାକ୍ ଉପରେ ସିଲିଣ୍ଡର ରଖି ଓଲଟାଇବାକୁ ଉଦ୍ୟମ କରାଯାଇଥିଲା।
ସେପ୍ଟେମ୍ବର ୮ ତାରିଖରେ ଶିବରାଜପୁର ଷ୍ଟେସନଠାରୁ ପ୍ରାୟ ଏକ କିଲୋମିଟର ପୂର୍ବରୁ ରେଳ ଧାରଣାରୁ କିଛି ବିସ୍ଫୋରକ ସହ ଏକ ବଡ଼ ଏଲପିଜି ସିଲିଣ୍ଡର ମିଳିଥିଲା। ଏହି ସିଲିଣ୍ଡରରେ କାଲିନ୍ଦୀ ଏକ୍ସପ୍ରେସକୁ ଓଲଟିବାକୁ ଚେଷ୍ଟା କରାଯାଇଥିଲା। ତେବେ ମଙ୍ଗଳବାର ରାତିରେ ଶିବରାଜପୁର ଷ୍ଟେସନଠାରୁ ୧୦୦ ମିଟର ଦୂରରେ ୫ କେଜି ଖାଲି ସିଲିଣ୍ଡର ମିଳିଥିଲା।
ପୁରୁଣା ମାମଲାରେ ପୁଲିସ ଓ ଏଟିଏସ୍ ତଦନ୍ତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଖୁଲାସା ହୋଇନାହିଁ। କିଛି ଦିନ ପରେ କାନପୁରର ପ୍ରେମପୁର ଷ୍ଟେସନରେ ରେଳ ଲାଇନ ମଧ୍ୟରେ ଏକ ୫କିଲୋ ସିଲିଣ୍ଡର ମିଳିଥିଲା, ଯାହାର ତଦନ୍ତ ଜାରି ରଖିଛି ରେଳବାଇ ପୁଲିସ। ମଙ୍ଗଳବାର ରାତିରେ ଏହି ସିଲିଣ୍ଡର ଜବତ ହେବା ପରେ ଜିଆରପି ଓ ରେଳବାଇ ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଧବାର ଜିଆରପି ଓ ରେଳବାଇ ଅଧିକାରୀ ଘଟଣାସ୍ଥଳପରିଦର୍ଶନ କରି ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛନ୍ତି। ରେଳକର୍ମଚାରୀ ରମେଶ ଚନ୍ଦ୍ରଙ୍କ ଅଭିଯୋଗ କ୍ରମେ ଫାରୁଖାବାଦ ଜିଆରପି ଥାନାରେ ଏତଲା ରୁଜୁ ହୋଇଛି।
ଆରପିଏଫ୍ ଇନ୍ସପେକ୍ଟର ଓପି ଶର୍ମା ଓ କନୌଜର ଇନ୍ସପେକ୍ଟର ଅଭିଷେକ ଶର୍ମା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଫରେନସିକ୍ ପରୀକ୍ଷା ମଧ୍ୟ କରାଯାଉଛି ବୋଲି ସେ କହିଛନ୍ତି। ରେଳଧାରଣାରୁ ମିଳିଥିବା ସିଲିଣ୍ଡର ପୁରୁଣା ହୋଇଥିବା ବେଳେ ରେଳ ଧାରଣା ନିକଟରେ ଏହା କେମିତି ଆସିଲା ତାହାର ତଦନ୍ତ ଚାଲିଛି। ରେଳ ଧାରଣାରେ ମିଳିଥିବା ସିଲିଣ୍ଡର ପୁରୁଣା ବୋଲି ସେ ଅଧିକାରୀମାନଙ୍କୁ କହିଥିଲେ।
ଅଧିକ ପଢ଼ନ୍ତୁ: ନୂଆବର୍ଷରେ ୬ ଜଣ ଇରାନୀ ନାଗରିକଙ୍କୁ ଫାଶୀ