ନୂଆଦିଲ୍ଲୀ: କାଶ୍ମୀର ଘାଟି ସହ ଭାରତକୁ ସବୁ ପାଗରେ ସଂଯୋଗ କରିବା ପାଇଁ ସରକାର ଦୀର୍ଘ ସମୟରୁ ଏହା ଉପରେ କାମ କରୁଛନ୍ତି। ଏହି ଦିଗରେ ନୂତନ ବର୍ଷରେ ଦେଶକୁ ବଡ଼ ଉପହାର ମିଳିବାକୁ ଯାଉଛି। ଏହାକୁ ଭାରତୀୟ ରେଲଓ୍ଵେ ପାଇଁ ବଡ଼ ଉପଲବ୍ଧି ହେବାକୁ ଯାଉଛି। ଦିଲ୍ଲୀରୁ ଶ୍ରୀନଗରକୁ ସିଧାସଳଖ ସଂଯୋଗ କରୁଥିବା ରେଳ ଲାଇନ ଜାନୁଆରୀରୁ ଆରମ୍ଭ ହେବ। ଏହି ରୁଟ୍ରେ ବନ୍ଦେ ଭାରତ ଏକ୍ସପ୍ରେସ ପରି ଲଗଜରି ଟ୍ରେନ ଚଳାଚଳ କରିବାକୁ ପ୍ରସ୍ତୁତି କରାଯାଉଛି।
ସୂଚନା ଅନୁଯାୟୀ, ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ ଶ୍ରୀନଗର ଯାତ୍ରା କରିବାକୁ ଥିବା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ରେ ଯାତ୍ରା କରିବେ। ଉଦଘାଟନ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରେନରେ ଯାତ୍ରା କରିବେ। ସଂପ୍ରତି ଏହାର ଟ୍ରାଏଲ ରନ ଚାଲିଛି। ଉତ୍ତର ରେଲଓ୍ଵେର ମୁଖ୍ୟ ମୁଖପାତ୍ର ହିମାଂଶୁ ଶେଖର ଉପାଧ୍ୟାୟ ଏହି ବିଷୟରେ ସୂଚନା ଦେଇଛନ୍ତି।
ମୁଖପାତ୍ର କହିଛନ୍ତି, କଟରାରେ ୧୭ କିଲୋମିଟର ଲମ୍ବା ସେକ୍ସନରେ ଏବେ କାମ ଚାଲିଛି। ଇଞ୍ଜିନରେ ଲଦା ମାଲଗାଡ଼ିକୁ ପରୀକ୍ଷାମୂଳକ ଭାବେ ଚଲାଯିବ। ଶେଷ ପରୀକ୍ଷଣ ଉତ୍ତର ସର୍କିଲର ସେଫଟୀ କମିଶନର ପକ୍ଷରୁ ଜାନୁଆରୀ ୧୫ ପୂର୍ବରୁ କୌଣସି ମୁହୂର୍ତ୍ତରେ କରାଯିବ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍ ବନ୍ଦେ ଭାରତ ଏକ୍ସପ୍ରେସରେ ଦିଲ୍ଲୀରୁ ଶ୍ରୀନଗର ଯାତ୍ରା କରିବେ।
କଟରାରୁ ରିୟାସି ମଧ୍ୟରେ ୧୭ କିଲୋମିଟର ଲମ୍ବା ସେକ୍ସନର କାମ ପୂରା ହୋଇ ସାରିଛି। ଏହି ପ୍ରକ୍ରିୟା ଦ୍ରୁତ ଗତିରେ ଜାରି ରହିଥିଲା। ଟି-୩୩ ଟନେଲ୍ ନିର୍ମାଣ ସବୁଠୁ କଠିନ ଥିଲା ବୋଲି ମୁଖପାତ୍ର କହିଛନ୍ତି। ଯଦି ସେଫଟି ଅଡିଟ୍ରେ କିଛି ତ୍ରୁଟି ମିଳେ ତେବେ ଏହାର ତୁରନ୍ତ ସମାଧାନ କରାଯିବ। ଦେଶ ସ୍ଵାଧୀନ ହେବା ପରେ ପ୍ରଥମ ଥର କାଶ୍ମୀର ସବୁ ପରିସ୍ଥିତି ଓ ସବୁ ସମୟରେ ଅବଶିଷ୍ଟ ଭାରତ ସହ ଯୋଗାଯୋଗ କରିବାକୁ ପ୍ରସ୍ତୁତ।