ଉତ୍ତରପ୍ରଦେଶ: ବିବାହ ଲଗ୍ନ ସ୍ଥିର ସରିଥିଲା, ସମସ୍ତ ପ୍ରସ୍ତୁତି ବି ସରିଥିଲା, ବରଯାତ୍ରୀଙ୍କୁ ନେଇ କନିଆ ଘରକୁ ଆସିଥିଲା ବର । ହେଲେ ବରଯାତ୍ରୀ ଖାଇବାକୁ ନେଇ ରାଗିଯାଇଥିଲା ବର, କାରଣ ବରଯାତ୍ରୀଙ୍କୁ ଖାଇବାରେ ରୁଟି ପରଷିବା ଟିକିଏ ବିଳମ୍ବ ହେବାରୁ ବାହା ହେବ ନାହିଁ ବୋଲି ବର ସିଧା ସିଧା ମନା କରିଦେଇଥିଲା । ଏପରିକି କନ୍ୟା ଘର ଲୋକେ ଯେତେ ବୁଝାଇଲେ ବି ରାଜି ହୋଇ ନ ଥିଲେ, ଶେଷରେ ବିବାହ ଭାଙ୍ଗିଯାଇଥିଲା । ଉତ୍ତରପ୍ରଦେଶ ଚନ୍ଦୌଲିରେ ହମିଦପୁରର ଅଞ୍ଚଳରେ ଘଟିଛି ଏଭଳି ଅଜବ ଘଟଣା ।
ଘଟଣା ମୁତାବିକ, ହମିଦପୁରର ଅଞ୍ଚଳର ଜଣେ ଯୁବତୀଙ୍କ ସହ ସେହି ଗାଁର ମେହତାବ ନାମକ ଜଣେ ଯୁବକଙ୍କ ସହ ବିବାହ ଦୀର୍ଘ ୭ ମାସ ପୂର୍ବରୁ ସ୍ଥିର ହୋଇଥିଲା । ବିବାହ ପାଇଁ ସମସ୍ତ ପ୍ରସ୍ତୁତି ବି ସରିଥିଲା । ହେଲେ ବାହାଘର ଦିନ ବରଯାତ୍ରୀଙ୍କୁ ଖାଇବାକୁ ଦିଆଯିବା ପରେ ରୁଟି ପରଷିବାକୁ ଟିକିଏ ବିଳମ୍ବ ହେବାରୁ ବରଯାତ୍ରୀ ମାନେ ହଙ୍ଗାମା କରିଥିଲେ । ଘଟଣାକୁ ନେଇ ବର ରାଗରେ ବିବାହ କରିବାକୁ ମନା କରିଦେଇଥିଲା । କେବଳ ସେତିକି ନୁହେଁ ବରଯାତ୍ରୀକୁ ନେଇ ଫେରିଯାଇଥିଲା । ବଡ଼ କଥା ହେଉଛି, ବିବାହ ଭାଙ୍ଗିବା ଘରକୁ ଆସି ବର ନିଜ ସର୍ମ୍ପକୀୟ ଝିଅ ସହ ସେଇଦିନ ହିଁ ବିବାହ କରିଛି ।
ଘଟଣାକୁ ନେଇ କନ୍ୟାପକ୍ଷ ଥାନାରେ ମାମଲା ରୁଜୁ କରିଛନ୍ତି । କନ୍ୟା ପକ୍ଷଙ୍କ ଅଭିଯୋଗ ମୁତାବିକ, ପ୍ରାୟ ୨ଶହ ବରଯାତ୍ରୀଙ୍କୁ ଧରି ବର ଯାଇଥିଲା ବିବାହ କରିବାକୁ । ବରଯାତ୍ରୀଙ୍କ ଖାଦ୍ୟପେୟ ଲାଗି ମୋଟା ଅଙ୍କର ଟଙ୍କା ଖର୍ଚ୍ଚ ହୋଇଛି । ଏଥିସହ ଯୌତୁକ ବାବଦରେ ଦେଢ ଲକ୍ଷ ଟଙ୍କା ବି ଦିଆସରିଛି । ବିବାହରେ ମୋଟ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ସାମାନ୍ୟ ରୁଟି ପରଷିବା ବିଳମ୍ବତାକୁ ନେଇ ବାହାଘର ଭାଙ୍ଗିଯାଇଛି । ଏହି କାରଣରୁ କନ୍ୟାପକ୍ଷ ମାନସିକ ସ୍ତରରେ ଆଘାତ ପାଇଛନ୍ତି, ସେମାନଙ୍କ ସମ୍ମାନ ହାନୀ ଘଟିଥିବା ଅଭିଯୋଗରେ ଦର୍ଶାଯାଇଛି ।