ସୁବର୍ଣ୍ଣପୁର: ଆଜି ପୁଣି ଜଣେ ସରକାରୀ ଅଧିକାରୀ ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଭିଯୁକ୍ତ ହେଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ବିପିନ ଦେହୁରୀ।
ଜଣେ ହିତାଧିକାରୀ ପିଏମ୍ଇଜିପି (ପିଏମ୍ ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍)ରୁ ଋଣ ନେବା ପାଇଁ ଆବେଦନ କରିଥିଲେ । ଏଥିପାଇଁ ଅନେକ ଥର ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଯାଇଥିଲେ । ସେ ଏ ନେଇ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ବିପିନ ଦେହୁରୀଙ୍କୁ ଅଭିଯୋଗ କରିଥିଲେ । ମହାପ୍ରବନ୍ଧକ ବିପିନ ଦେହୁରୀ ହିତାଧିକାରୀଙ୍କୁ ଋଣ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସ ବିଭାଗରରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ମୁତାବକ ହିତାଧିକାରୀ ଶ୍ରୀ ଦେହୁରୀଙ୍କୁ ଲାଞ୍ଚ ଦେବା ପରେ ଭିଜିଲାନ୍ସ ତାଙ୍କୁ ଧରିଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଲାଞ୍ଚ ନେଉଥିବାବେଳେ ବୌଦ୍ଧ ସହକାରୀ ନିର୍ଦ୍ଦେଶକ ବୟନ ଶିଳ୍ପ କାର୍ଯ୍ୟାଳୟର ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଧରାପଡ଼ିଥିଲେ । ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ୫ ହଜାର ଟଙ୍କା ଜବତ କରାଯାଇଛି । ବାଉଁଶୁଣୀ ସମବାୟ ସମିତିର ବିଲ୍ କରି ଦେବାକୁ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ମାଗିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ।