ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ୍ ଟିମ୍ ମେଲବର୍ଣ୍ଣରେ ପହଁଚି ସାରିଛି । ଏହା ପୂର୍ବରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ସମ୍ବୋଧନ କରୁଥିବା ସାମ୍ବାଦିକ ସମ୍ମିଳନୀରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି । ସାମ୍ବାଦିକ ସମ୍ମିଳନୀକୁ ରବୀନ୍ଦ୍ର ଜାଡ଼େଜା ଅଧାରୁ ଛାଡ଼ି ଚାଲିଯିବାରୁ ଏବଂ ଇଂରାଜୀ ବଦଳରେ ହିନ୍ଦୀରେ ଉତ୍ତର ଦେବାରୁ ଅଷ୍ଟ୍ରେଲିଆ ସାମ୍ବାଦିକମାନେ ରାଗି ଯାଇଥିବା ଜଣାପଡ଼ିଛି ।
ମେଲବର୍ଣ୍ଣ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ଅଭ୍ୟାସ ଆରମ୍ଭ କରିଦେଇଛି । ଏହି ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରବିଚନ୍ଦ୍ରନନ୍ ଅଶ୍ୱିନୀଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରବୀନ୍ଦ୍ର ଜାଡ଼େଜା ହିନ୍ଦୀରେ ରଖିଥିଲେ । ଏହା ପରେ ଅଷ୍ଟ୍ରେଲିଆ ସାମ୍ବାଦିକ କିଛି ପଚାରିବାରୁ ସେ ତୁରନ୍ତ ‘ବସ୍ ଛାଡ଼ି ଦେବ’ କହି ସେଠାରୁ ଚାଲିଯାଇଥିଲେ ।
ଯାହାକୁ ନେଇ ଅଷ୍ଟ୍ରେଲିଆ ସମ୍ବାଦିକମାନେ ଲାଗି ଯାଇଥିଲେ । ସେମାନେ ସେଠାରେ ହୋହାଲ୍ଲା କରିଥିଲେ । ଭାରତୀୟ ଟିମ ମିଡିଆ ମ୍ୟାନେଜର ମୌଲିନ ପାରିଖ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ଉକ୍ତ ପ୍ରେସ୍ କନଫରେନ୍ସ ସେମାନଙ୍କ ପାଇଁ ନ ଥିବା ବୋଲି ବୁଝାଇଥିଲେ । କିଛି ଅଷ୍ଟ୍ରେଲିଆ ପତ୍ରକାର ମୌଲିନଙ୍କ ଉପରେ ମଧ୍ୟ ରାଗିଯାଇଥିଲେ । ଅଷ୍ଟ୍ରେଲିଆ ପତ୍ରକାର ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି ।
ତେବେ ଅଷ୍ଟ୍ରେଲିଆ ଖେଳାଳୀଙ୍କ ସାମ୍ବାଦିକ ସମ୍ମିଳନୀରେ ଅନେକ ସମୟରେ ଭାରତୀୟ ପତ୍ରକାରଙ୍କୁ ପ୍ରଶ୍ନ ପଚାରିବାକୁ ସମୟ ଦିଆଯାଏ ନାହିଁ । କିନ୍ତୁ ଭାରତୀୟ ପତ୍ରକାର କଦାପି ଏମିତି ଦୁର୍ବ୍ୟବହାର ଦେଖାଇ ନାହାଁନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୫ ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ପର୍ଥ ଟେଷ୍ଟରେ ଭାରତ ୨୯୫ ରନରେ ଜିତିଥିଲା । ଏହା ପରେ ଏଡିଲେଡ୍ ଟେଷ୍ଟକୁ ଅଷ୍ଟ୍ରେଲିଆ ୧୦ ୱିକେଟରେ ହାତେଇ ନେଇଥିଲା । ଏହା ପରେ ପୁଣି ଥରେ ଗାବା ଟେଷ୍ଟ ଡ୍ର ରହିଥିଲା । ଫଳରେ ସିରିଜ୍ ଏବେ ୧-୧ରେ ବରାବର ରହିଛି । ୨୬ ଡିସେମ୍ବରରେ ମେଲବର୍ଣ୍ଣ ଟେଷ୍ଟ ଖେଳାଯିବ ।