ପାଖେଇ ଆସୁଛି ନୂଆବର୍ଷ । ଏଥିପାଇଁ ସାରା ସହର ଏବେଠୁ ହେଲାଣି ଉତ୍ସବ ମୁଖର । ଡିସେମ୍ବର ୩୧ ରାତିରେ ହେବ ଜିରୋ ନାଇଟ ସେଲିବ୍ରେସନ । ଏଥିପାଇଁ ବିଭିନ୍ନ ହୋଟେଲ, କ୍ଲବ, ବାରରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି । ଏହାରି ଭିତରେ ଅବକାରୀ ବିଭାଗ କଠୋର ହୋଇଛି । ଉତ୍ସବ ପାଳିବା ପୂର୍ବରୁ କଟକଣା ମାନିବାକୁ ନିର୍ଦ୍ଦେଶ ଦେଇଛି ଅବକାରୀ ବିଭାଗ । ଏଥିସହ ହୋଟେଲ ହେଉ କି ବାର କେଉଁଠି ବି ଏଥର ଜିରୋ ନାଇଟ୍ ସେଲିବ୍ରେସନ ବେଳେ ନାଚିପାରିବେନି ବାର ଗର୍ଲ ।
ସେହିପରି ବିଳମ୍ବିତ ରାତି ଯାଏଁ କେହି ମନୋରଞ୍ଜନ କାର୍ଯ୍ୟକ୍ରମ କରିପାରିବେନି ।
ଯେଉଁ ହୋଟେଲ ବା ବାର୍ ବିଳମ୍ବିତ ରାତି ଯାଏଁ ଅନୁମତି ନେଇଥିବ, ସେମାନେ ହିଁ ନିର୍ଦ୍ଧାରିତ ସମୟ ଯାଏଁ କାର୍ଯ୍ୟକ୍ରମ ଚାଲୁ ରଖିପାରିବେ । ଯେଉଁମାନେ ନିୟମ ଉଲଙ୍ଘନ କରିବେ, ସେମାନଙ୍କ ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡିଲେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଚେତାବନି ଦେଇଛନ୍ତି ଅବକାରୀ ବିଭାଗର କମିସନର ନରସିଂହ ଭୋଳ । ଜିରୋ ନାଇଟ ସେଲିବ୍ରେସନ ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ ଜିଲ୍ଲା ଓ ସହରରେ ପାଟ୍ରୋଲିଂ ଟିମ୍ ଗଠନ କରିଛି ଅବକାରୀ ବିଭାଗ ।