ସମ୍ବଲପୁର: ବଣୁଆ ହାତୀ ପୁଣି ଜଣଙ୍କ ପ୍ରାଣ ନେଇଛି । ଶୌଚ ହେବା ପାଇଁ ଯାଇଥିବା ଜଣେ ବୃଦ୍ଧାଙ୍କର ବଣୁଆ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ଜଣକ ହେଲେ ସମ୍ବଲପୂର ଜିଲ୍ଲା ଜୁଜୁମୁରା ବ୍ଲକ୍ ତଥା ସଦର ବନାଞ୍ଚଳ ଅନ୍ତର୍ଗତ କଂସର ଗ୍ରାମର ମୁଡକି ମୁଣ୍ଡା (୬୫) । ଖବର ପାଇ ପୋଲିସ ଏବଂ ବନ ବିଭାଗ ଟିମ୍ ପହଁଚି ତଦନ୍ତ କରୁଛନ୍ତି ।
ସୂଚନା ଅନୁସାରେ, ଶନିବାର ଅପରାହ୍ନ ୪ ଟା ୩୦ ସମୟରେ କଂସର ଅଞ୍ଚଳରେ ରହୁଥିବା ୬୫ ବର୍ଷିୟା ମୁଡକି ମୁଣ୍ଡା ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ସେ ଏକ ବଣୁଆ ହାତୀ ହାବୁଡରେ ପଡିଯାଇଥିଲେ । ହାତୀଟି ବୃଦ୍ଧାଙ୍କୁ କଚାଡ଼ି ମାରିଦେଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ତାଙ୍କ ମୃତ ଦେହ ପଡ଼ିଥିବା ଦେଖି ବନ ବିଭାଗ ଓ ଜୁଜୁମୁରା ପୋଲିସ ସୂଚନା ଦେଇଛନ୍ତି ।
ତେବେ ବୃଦ୍ଧାଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତ ଦେହକୁ ଜବତ କରିଛି । ଏହି ଘଟଣାରେ ସଦର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ କରାଯାଇଛି ।