ଭୁବନେଶ୍ୱର : ରାଜ୍ୟରେ ଲାଗିରହିଛି ବର୍ଷା। ଗତକାଲି ଠାରୁ ଟ୍ବିନ୍ ସିଟି ସମେତ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି।ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। କିଛି କିଛି ସ୍ଥାନରେ ପାଣି ଜମି ରହିଛି।
ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଖୋର୍ଦ୍ଧାରେ ସର୍ବାଧିକ ୭୫ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଜଗତସିଂହପୁର ୬୧.୨ମିମି, ପାରାଦୀପ ୬୧.୧ ମିମି, ଗୋପାଳପୁର ୫୮.୬ ମିମି ପାରଳାଖେମୁଣ୍ଡି ୫୩ ମିଲିମିଟର ବର୍ଷା ହୋଇଛି। ସେହିଭଳି ଛତ୍ରପୁରରେ ୫୧.୮ମିମି, ଭୁବନେଶ୍ୱର ୫୧.୬ମିମି, ନୟାଗଡ଼ ୪୯ ମିମି, ପୁରୀ ୪୦.୫ମିମି , ରାୟଗଡ଼ାରେ ୩୫.୬ ମିମି, କଟକ ୩୩.୪ ମିମି ଏବଂ ଦାରିଙ୍ଗିବାଡ଼ି ୩୦ ମିମି ବର୍ଷା ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ମଧ୍ଯ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି।ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି କୂଳକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।