ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ଏକ ଭଡ଼ା ଘରେ ରହୁଥିବା ବ୍ୟବସାୟୀଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଖଇରା ଥାନା ବାଘୁଆ ଅଞ୍ଚଳର ପ୍ରଫୁଲ୍ଲ ଦାସ (୪୦) । ତାଙ୍କୁ ଭଡ଼ା ଘର ମାଲିକ ହତ୍ୟା କରିଛନ୍ତି ବୋଲି ପ୍ରଫୁଲ୍ଲଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।
ପ୍ରଫୁଲ୍ଲ ଦାସ ଦୀର୍ଘ ଦିନ ଧରି ସୋର କଲେଜଛକ ନିକଟରେ ଏକ ଭଡ଼ା ଘରେ ବ୍ୟବସାୟ କରୁଥିଲେ । ଚୋରାରେ ବିଦ୍ୟୁତ ସଂଯୋଗ କରିଥିବା ଅଭିଯୋଗରେ ବିଦ୍ୟୁତ ବିଭାଗ ତାଙ୍କ ଉପରେ ୧ ଲକ୍ଷ ୧୭ ହଜାର ଟଙ୍କାର ଜରିମାନା ଲଗାଯାଇଥିଲା । ପ୍ରଫୁଲଙ୍କୁ ସମସ୍ତ ଟଙ୍କା ପୈଠ କରିବାକୁ ଘର ମାଲିକ ବାଧ୍ୟ କରିଥିଲେ ।
ଗତ ତିନିଦିନ ତଳେ ପ୍ରଫୁଲ୍ଲ ୩୦ ହଜାର ଟଙ୍କା ନେଇ ବିଦ୍ୟୁତ କାର୍ଯ୍ୟାଳୟକୁ ଡିପୋଜିଟ କରିବାକୁ ଯାଇଥିବା ବେଳେ ଟଙ୍କା ହଜିଯାଇଥିଲା। ସେ ମାନସିକ ଚିନ୍ତାରେ ରହି ପୁରୀ ଚାଲିଯାଇଥିଲେ । ଗତକାଲି ସେ ପୁଣି ବାଲେଶ୍ୱରକୁ ଫେରିଥିଲେ । ଆଜି ସକାଳେ ତାଙ୍କ ସ୍ତ୍ରୀ ତୁଳସୀଙ୍କୁ ଫୋନ କରି ସମସ୍ତ କଥା କହିଥିଲେ । ଘର ମାଲିକ ତାଙ୍କୁ ଏଥିପାଇଁ ଧମକ ଚମକ ଦେଉଛନ୍ତି ବୋଲି ମଧ୍ୟ କହିଥିଲେ । ପ୍ରଫୁଲ୍ଲ ସ୍ତ୍ରୀଙ୍କ ସହିତ କଥା ହେବା ବେଳେ ବହୁତ କନ୍ଦାକଟା ମଧ୍ୟ କରିଥିଲେ । ସ୍ତ୍ରୀ ତୁଳସୀ ଓ ଶାଶୁ ଶ୍ରୀମତୀ ବେହେରା ଉକ୍ତ ଭଡ଼ା ଘରେ ପହଞ୍ଚିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।
ଭଡ଼ା ଘରୁ ପ୍ରଫୁଲ୍ଲଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କ ସୋର ମେଡ଼ିକାଲକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘର ମାଲିକ ତାଙ୍କୁ ହତ୍ୟା କରିଥି ନେଇ ପରିବାର ଲୋକ ସୋର ଥାନା ଅଭିଯୋଗ କରିଛନ୍ତି ।
ତେବେ ପ୍ରଫୁଲ୍ଲଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିବା ସହିତ ତାଙ୍କ ଶରୀରରେ ମଧ୍ୟ କ୍ଷତ ଚିହ୍ନ ରହିଛି । ତେବେ ପୋଲିସ ଉକ୍ତ ଘରୁ ଏକ ବିଷ ବୋତଲ ମଧ୍ୟ ଜବତ କରିଛି । ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।