ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଭାଲୁପତ୍ରା ରାସ୍ତାର ପୁଡ଼ିଡିହି ନିକଟରେ ଜଣେ ଯୁବକଙ୍କୁ ଛୁରି ଭୁସି ନିର୍ମମଭାବେ ହତ୍ୟା କରାଯାଇଛି । ମୃତକ ହେଲେ ନୂଆଡ଼ିହି ଗ୍ରାମର ସନ୍ତୋଷ ନାୟକ (୩୭) । ପରିବାର ଲୋକ କୋଲାବିରା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସନ୍ତୋଷ ଝାରସୁଗୁଡ଼ାର ପଣ୍ଡରିପଥରସ୍ଥିତ ଆକ୍ସନ ଇସ୍ପାତରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି । ଗତକାଲି ସକାଳେ ସମ୍ପର୍କୀୟ ଭିଣୋଇଙ୍କ ଶୁଦ୍ଧିକାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ । କାମକାର୍ଯ୍ୟ ସରିବା ପରେ ସେ ଘରକୁ ନ ଯାଇ ସିଧାସଳଖ କମ୍ପାନୀ ଅଭିମୁଖେ ଡ୍ୟୁଟି କରିବାକୁ ବାହାରି ଯାଇଥିଲେ, କିନ୍ତୁ ସେ କମ୍ପାନିରେ ପହଞ୍ଚିନଥିଲେ । ରାତି ପ୍ରାୟ ୧୨ଟାରେ ପୁଡ଼ିଡିହି ବଜାର ନିକଟ ରାସ୍ତାକଡ଼ରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଦେଖିଥିଲେ । ଏ ନେଇ ତୁରନ୍ତ କୋଲାବିରା ପୋଲିସକୁ ଖବର ଦେଇଥିଲେ । ଏହା ସହିତ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ନେଇ ଡାକ୍ତର ଘୋଷଣା କରିଥିଲେ ।
ସନ୍ତୋଷଙ୍କ ପରିବାର ପକ୍ଷରୁ କୋଲାବିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିବା ତଦନ୍ତ ଆରମ୍ଭ କରିଛି । ସନ୍ତୋଷଙ୍କ ଛାତି ଓ ପିଠିରେ ଗଭୀର ଆଘାତ ଲାଗିଛି । କୌଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ସନ୍ତୋଷଙ୍କ ବାଇକ ମିଳିଥିବାବେଳେ ତାଙ୍କର ମୋବାଇଲ ଗାଏବ ହୋଇଯାଇଛି । ତାଙ୍କ କିଏ ଓ କାହିଁକି ହତ୍ୟା କରିଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।