ମାଗଡେବର୍ଗ: ଜର୍ମାନୀର ପୂର୍ବ ସହର ମାଗଡେବର୍ଗର ଏକ ବ୍ୟସ୍ତବହୁଳ ଖ୍ରୀଷ୍ଟମାସ ବଜାରରେ ଶୁକ୍ରବାର ଏକ କାର୍ ଅନିୟନ୍ତ୍ରିତ ହୋଇ ଲୋକଙ୍କ ଉପରକୁ ଚଢ଼ିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୮ ଜଣ ଆହତ ହୋଇଛନ୍ତି। ଏହା ଜାଣିଶୁଣି ଆକ୍ରମଣ ହୋଇପାରେ ବୋଲି ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ କାର୍ ଚାଳକଙ୍କୁ ଗିରଫ କରିଛି। ଜର୍ମାନ ବଜାରରେ ଖ୍ରୀଷ୍ଟମାସ ପାଇଁ କିଣାକିଣି କରିବାକୁ ବହୁ ସଂଖ୍ୟାରେ ଲୋକ ଆସିଥିଲେ। ସେତେବେଳେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିଲା।
ସାକ୍ସନି-ଆନହାଲଟ ଆଭ୍ୟନ୍ତରୀଣ ମନ୍ତ୍ରୀ ତାମାରା ଜିସ୍ଚାଙ୍ଗ ଗଣମାଧ୍ୟମକୁ କହିଛନ୍ତି ଯେ ସନ୍ଦିଗ୍ଧ ଜଣକ ଜଣେ ୫୦ ବର୍ଷୀୟ ସାଉଦି ଡାକ୍ତର ଯିଏ କି ୨୦୦୬ରେ ପ୍ରଥମ ଥର ପାଇଁ ଜର୍ମାନୀ ଗସ୍ତ କରିଥିଲେ। ରିପୋର୍ଟ ଅନୁଯାୟୀ ଆହତଙ୍କ ମଧ୍ୟରୁ ୧୫ ଜଣ ଅତ୍ୟନ୍ତ ଗୁରୁତର ଆହତ ହୋଇଛନ୍ତି। ଗଭର୍ଣ୍ଣର ରେନର ହାସେଲୋଫ୍ କହିଛନ୍ତି ଯେ ଦୁଇ ଜଣ ମୃତ ବ୍ୟକ୍ତି ଜଣେ ବୟସ୍କ ଏବଂ ଜଣେ ଶିଶୁ। ସେହିପରି କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ମାଗଡେବର୍ଗସ୍ଥିତ ୟୁନିଭର୍ସିଟି ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ହସ୍ପିଟାଲରେ ୧୦ରୁ ୨୦ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।
ସେପଟେ ସାଉଦି ଆରବ ମଧ୍ୟ ଏହି ଘଟଣାକୁ ନେଇ ଏକ ବୟାନ ଜାରି କରିଛି। ସାଉଦି ଆରବ ଏହି ଘଟଣାକୁ ନେଇ ଜର୍ମାନୀ ସହ ଛିଡ଼ା ହେବାକୁ ପ୍ରତିଶ୍ରୁତି ଦେଇଛି। କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ। ଛୁଟିଦିନରେ ବଜାରରେ ଗ୍ରାହକଙ୍କ ଭିଡ଼ ଜମିଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏହି ଅଘଟଣ ଘଟିଥିଲା। ସୋସିଆଲ ମିଡିଆରେ ବଜାରରେ ଘଟିଥିବା ଏହି ଘଟଣାର ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ କାର୍ ଦ୍ରୁତଗତିରେ ମାର୍କେଟ ଷ୍ଟଲ୍ର ଦୁଇଧାଡ଼ି ମଧ୍ୟରେ ଗତି କରୁଛି। ଲୋକମାନେ ତଳେ ପଡ଼ି ଦୌଡୁଥିବା ଦେଖିବାକୁ ମିଳୁଛି।
ଏହି ଘଟଣା ୨୦୧୬ ମସିହାରେ ବର୍ଲିନରେ ଘଟିଥିବା ଘଟଣା ଭଳି। ଯେତେବେଳେ ଜଣେ ଡ୍ରାଇଭର ଏକ ଟ୍ରକ୍କୁ ଭିଡ଼ ଉପରେ ଧକ୍କା ଦେଇଥିଲା, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା।
ଅଧିକ ପଢ଼ନ୍ତୁ: ୪୩ ବର୍ଷ ପରେ କୁଏତ ଗସ୍ତ କରୁଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ