ବୌଦ୍ଧ ଜିଲ୍ଲା କ୍ରିକେଟ୍ ଆସୋସିଏସନ ଆନୁକୁଲ୍ୟରେ ଜିଲ୍ଲା ଷ୍ଟାଡିଅମ ଠାରେ ଚାଲିଥିବା ସପ୍ତମ ବୌଦ୍ଧ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିନରେ ଶବର ଗ୍ରୁପ ‘ବି’ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଏସିସି ଅନଗୁଳ ଓ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ଏହି ମ୍ୟାଚ ପରେ ଏସିସି ଅନଗୁଳ ଫାଇନାଲ ରେ ପ୍ରବେଶ କରିଛି।
ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବୌଦ୍ଧ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୭.୨ ଓଭରରେ ସମସ୍ତ ୱିକେଟ ହରାଇ ୧୧୮ ରନ୍ କରିଥିଲା । ଦଳ ତରଫରୁ ତାପସ ପଣ୍ଡା ସର୍ବାଧିକ ୧୪ ବଲ୍ରୁ ୨୬ ରନ୍ ଓ ଶେଖର ମାଝୀ ୨୮ ବଲ୍ ରୁ ୨୪ରନ୍ କରିଥିଲେ। ଅନଗୁଳ ପକ୍ଷରୁ ସୁମିତ ଶର୍ମା ୪ଟି ଓ ଆୟୁଷ ବାରିକ ୨ଟି ୱିକେଟ ନେଇଥିଲେ । ଏହାର ଜବାବରେ ୧୧୮ ରନ୍ର ପିଛାକରି ଦ୍ୱିତୀୟ ଇନିଂସରେ ଅନଗୁଳ ଦଳ ୧୫.୩ ଓଭରରେ ୧୧୯ ରନ୍ କରି ଦଳକୁ ବିଜୟୀ କରାଇଥିଲା। ଅନଗୁଳ ଦଳ ତରଫରୁ ଆୟୁଷ ବାରିକ ୪୧ ବଲ୍ରୁ ୫୧ ରନ୍ ଓ ଧୀରଜ କେ. ବେହେରା ୧୭ ବଲ୍ରୁ ୧୮ ରନ୍ କରିଥିଲେ। ଏହି ମ୍ୟାଚରେ କାର୍ଯ୍ୟକାରୀ କମିଟି ସଦସ୍ୟ ଦିବ୍ୟଶଙ୍କର ରାଉତ ମ୍ୟାନ ଅଫ ଦି ମ୍ୟାଚ ଭାବେ ଆୟୁଷ ବାରିକଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ସଞ୍ଜିବ ଅଗ୍ରୱାଲ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରିକେଟ ଆସୋସିଏସନର ପୂର୍ବତନ ସଂପାଦକ ମାନସ ରଞ୍ଜନ ସେଠୀ, ବରିଷ୍ଠ ସାମ୍ବାଦିକ ସତ୍ୟଜିତ କୁମାର ପଣ୍ଡା ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ନିରଞ୍ଜନ ମେହେର, ସଂପାଦକ ଯୁଗଳ କିଶୋର ସାମଲ, କାର୍ଯ୍ୟକାରୀ କମିଟି ସଦସ୍ୟ ଆଶୁତୋଷ ଦାଶ, ସଦସ୍ୟ ଜଳେଶ୍ୱର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମ୍ୟାଚକୁ ଅଂପାୟାର ଭାବେ ଶ୍ୟାମ ସୁନ୍ଦର ପଣ୍ଡା ଓ ଶ୍ରୀବନ୍ତ ନାୟକ ପରିଚାଳନା କରିଥିବାବେଳେ ସ୍ୱାଗତ ଦେହୁରୀ ସ୍କୋରର ଦାୟିତ୍ୱ ତୁଲାଇଥିଲେ। ତେବେ ରବିବାର ଜଗନ୍ନାଥ କଲୋନୀ କ୍ରିକେଟ କ୍ଲବ ସମ୍ବଲପୁର ଓ ଏସିସି ଅନଗୁଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।
ଅଧିକ ପଢନ୍ତୁ: ୪୦ ଫୁଟ ଗଭୀର ବୋରେୱେଲରେ ପଡ଼ିଲା ଶିଶୁ