ଆରମ୍ଭ ହୋଇଛି କାଉଣ୍ଟଡାଉନ। ଚମ୍ପିଆନ୍ସ ଟ୍ରଫି ପରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମ୍ୟାଚ। ଆରମ୍ଭ ହେବା ପୂର୍ବରୁ ଆଇପିଏଲ ଅଧକ୍ଷଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଚଳିତ ବର୍ଷ ତମାଖୁ ଓ ମଦ ର ବିଜ୍ଞାପନ ନ କରିବା ପାଇଁ ଚିଠି ଲେଖିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଚିଠିରେ କୁହାଯାଇଛି ଯେ ଆଇପିଏଲ ମ୍ୟାଚ୍ ସମୟରେ ତମାଖୁ ଓ ମଦ ବିଜ୍ଞାପନ ଦେଖାଯିବା ଉଚିତ୍ ନୁହେଁ। କାରଣ ଭାରତରେ କର୍କଟ, ଫୁସଫୁସ ରୋଗ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ଅଣ-ସଂକ୍ରମିତ ରୋଗ ବୃଦ୍ଧିର ମୁଖ୍ୟ କାରଣ ହେଉଛି ତମାଖୁ ଏବଂ ମଦ୍ୟପାନ। ତମାଖୁ ଯୋଗୁଁ ମୃତ୍ୟୁ ସଂଖ୍ୟାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛି।
ତେବେ ଚଳିତ ବର୍ଷ IPL ୨୨ ମାର୍ଚ୍ଚରୁ ଆରମ୍ଭ ହେଉଛି। ଏହା ଦେଶର ସବୁଠାରୁ ବଡ଼ କ୍ରୀଡା ଇଭେଣ୍ଟ। ଏହି ପ୍ଲାଟଫର୍ମ ମାଧ୍ୟମରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ତମାଖୁ ଏବଂ ମଦ୍ୟପାନକୁ ପ୍ରୋତ୍ସାହିତ କରାଯାଏ। ଏପରି ପରିସ୍ଥିତିରେ, ଆଇପିଏଲ ଷ୍ଟାଡିୟମ ପରିସର ଭିତରେ ଏବଂ ବାହାରେ ତମାଖୁ ଏବଂ ମଦ୍ୟପାନ ବିଜ୍ଞାପନ ପ୍ରଦର୍ଶନକୁ କଡ଼ାକଡ଼ି ନିଷିଦ୍ଧ କରିବା ଉଚିତ। ଏହି ବିଜ୍ଞାପନଗୁଡ଼ିକ କେବଳ ଆଇପିଏଲ ଷ୍ଟାଡିୟମରେ ନୁହେଁ ବରଂ ଟେଲିଭିଜନ ପ୍ରସାରଣ ସମୟରେ ମଧ୍ୟ ନିଷେଧ କରାଯିବା ଉଚିତ।