ସମ୍ବଲପୁର : ହୋଲି ପାଳନ ନେଇ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ (ଭିସୁଟ) ଛାତ୍ରଙ୍କ ଉପରେ ଲାଗିଲା କଟକଣା । ସମ୍ବଲପୁର ର ୭ଟି ଜାଗା ଉପରେ ଲାଗିଲା କଟକଣା । ଏହି କଟକଣା ଲଗାଇଲେ ଭିସୁଟ କତ୍ତୃପକ୍ଷ । ସେହି ସ୍ଥାନ ଗୁଡିକ ହେଉଛି ପାୱାର କେନାଲ , ମହାନଦୀ , ସାଇଫନ , ୧୮ ହଜାର , ରାଇଟ ଡାଇକ , ଝାଙ୍କରାଣୀ ମନ୍ଦିର , ଫିସରି ପଏଣ୍ଟକୁ ଯିବା ଉପରେ କଟକଣା ଲଗାଯାଇଛି । କୌଣସି ସମୟରେ ନ ଯିବାକୁ ନୋଟିସ ଜାରି କରିଛି ଭିସୁଟ କତ୍ତୃପକ୍ଷ ।
ସୂଚନାଯୋଗ୍ୟ ଦୁଇଦିନ ତଳେ ୧୮ ହଜାର ସ୍ଥାନରେ ଗାଧୋଇବା ବେଳେ ଜଣେ ଛାତ୍ର ବୁଡି ଯାଇ ମୃତ୍ଯୁ ପରେ ଏହି କଟକଣା ଲାଗୁ ହୋଇଛି। ଭିସୁଟ ର ସିଭିଲ ବିଭାଗର ପ୍ରଥମ ବର୍ଷର ଛାତ୍ର ପ୍ରୀୟାଂଶୁ ପ୍ରକାଶ ବେହେରା (୧୯) ରଙ୍ଗ ଖେଳିବା ପରେ ପ୍ରଥମେ ସାଇଫୋନକୁ ଯାଇ ସେଠାରେ ଥାଇ ଅନ୍ୟ ସହପାଠୀଙ୍କୁ ଗାଧୋଇବାକୁ ଫୋନ୍ କରି ଡାକିଥିଲେ। ସେ ତାଙ୍କର ତିନିଜଣ ସାଙ୍ଗକୁ ସେଠାକୁ ଗାଧୋଇବାକୁ ଡାକିଥିଲେ। ତାଙ୍କର ସହପାଠୀମାନେ ସେଠାକୁ ପହଞ୍ଚିବା ମାତ୍ରେ ପ୍ରୀୟାଂଶୁ ପାଣିରେ ଡେଇଁ ପଡିଥିଲେ। ଏହା ପରେ ସେ ପାଣିରେ ବୁଡି ଯାଇଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଦୁଇ ଜଣ ଯୁବକ ଆସି ପ୍ରୀୟାଂଶୁକୁ ପାଣିରୁ ଉଦ୍ଧାର କରିଥିଲେ। ସେଠାକୁ ବରିଷ୍ଠ ଛାତ୍ରମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲକୁ ଆଣିଥିଲେ। ମାତ୍ର ବୁର୍ଲା ଭିମସାରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।