ବାଲେଶ୍ୱର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ଘଟଣାରେ ଜେଲ୍ ଗଲେ ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର । ବାଲେଶ୍ୱର କୋର୍ଟରେ ଇଓଡବ୍ଲ୍ୟୁ ହାଜର କରିବା ପରେ ଶୁକ୍ରବାର ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ରାଜା ଚକ୍ର । ତେବେ ରାଜା ଚକ୍ରଙ୍କ ରିମାଣ୍ଡ କିମ୍ବା ଜାମିନ ନେଇ କୌଣସି ଆବେଦନ କରାଯାଇନି ।
ଗତକାଲି ରାଜା ଚକ୍ରଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୩ ଜଣ ଗିରଫ ହୋଇ ସାରିଛନ୍ତି । ରାଜା ଚକ୍ରଙ୍କର ୪୨ଟି ଗାଡି, ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ ଜବତ ହେବା ସହ ଏକାଧିକ ଆକାଉଣ୍ଟକୁ ମଧ୍ୟ ଅଚଳ କରି ଦିଆଯାଇଛି । କ୍ରାଇମବ୍ରାଞ୍ଚ ହାତରେ ଅଦ୍ୟାବଧି ୪୫ କୋଟି ଟଙ୍କା ଠକେଇର ପ୍ରମାଣ ମିଳି ସାରିଛି । ଆହୁରି ୭୪ କୋଟି ଠକେଇର ଯାଞ୍ଚ ଚାଲିଛି । ୨୦୧୨-୧୩ ପରଠାରୁ ଏଜେନ୍ସିର ଅଡିଟ୍ ହୋଇ ନାହିଁ ।
କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ମୁତାବକ, ରାଜା ଚକ୍ର ବିଜେଡ଼ି ଦଳର ପତିଆରାରେ ନିଜର କଳା ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି । ଓଡ଼ିଶା ଖଣି ନିଗମ ସହ ଅନୁବନ୍ଧିତ କେନ୍ଦୁଝର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଘଟଣାରେ ଗୁରୁବାର ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ବିଭିନ୍ନ ଠିକଣାରେ ଚଢ଼ଉ ଏବଂ ମାରାଥନ୍ ଜେରା ପରେ ଶେଷରେ ବନ୍ଧା ହୋଇଛନ୍ତି ରାଜା । ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି କଳା ଧମ ଆୟ କରିଛି ରାଜା ଚକ୍ର । ୪୦ଟି ବଡ଼ ହାଇୱା ଗାଡ଼ି ସମେତ ଅନ୍ୟ ୨ଟି ଗାଡ଼ି ଜବତ କରାଯାଇଛି । ସେହିପରି ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମାରାଶିକୁ ଫ୍ରିଜ୍ କରାଯାଇଛି ।
ଅଡିଟ୍ ସମୟରେ ଜଣାପଡ଼ିଛି ଯେ ପାରିପାର୍ଶ୍ଵିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବାବେଳେ ସେମିତି କିଛି ଖର୍ଚ୍ଚ ହୋଇ ନ ଥିବା ୨ ଜଣ ବିଡିଓ କହିଛନ୍ତି । ସଦାଶିବ ସାମଲ, ସୁଧାଂଶୁ ଶେଖର ନାୟକ ଏବଂ ସମୀର ଜେନା ଏହି ପଇସାକୁ ମଧ୍ୟ ହଡ଼ପ କରିଥିବା ଜଣାପଡ଼ିଛି । ତଥାପି କ୍ରାଇମବ୍ରାଞ୍ଚ ସେମାନଙ୍କୁ ସମୟ ଦେଇଛି । ନିଜ ବିରୁଦ୍ଧରେ ଅଭିଯୋଗକୁ ଭୁଲ ପ୍ରମାଣିତ କରିବାକୁ, ଯଦି ସେମାନେ ସମୟ ମଧ୍ୟରେ ଆବଶ୍ୟକୀୟ କାଗଜପତ୍ର ଦାଖଲ ନ କରି ପାରନ୍ତି, ତେବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି ।
ସେହିପରି ମା’ କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କାକୁ ତେଲ ବାବଦକୁ ପେମେଣ୍ଟ ହୋଇଥିବା ଦର୍ଶାଯାଇଛି । କିନ୍ତୁ ଜିଏମଏଲକୁ କୌଣସି ତେଲ ଦିଆଯାଇନାହିଁ । ଏହି ଜିଏମଏଲକୁ ଯିବା ପରିବର୍ତ୍ତେ ରାଜାଙ୍କ ଗାଡ଼ି ପାଇଁ ବ୍ୟବହାର କରାଯାଉଥିଲା । ସେହିପରି ବିକାଶ ନାଁରେ ଆସୁଥିବା ଟଙ୍କାକୁ ଦଳୀୟ କାମରେ ଲଗାଯାଇଛି । କୋ ଅପରେଟିଭ୍ ସୋସାଇଟିରେ ଥିବା ସ୍ଥାନୀୟ ଗାଁ ଲୋକଙ୍କ ମଧ୍ୟରେ ୩୩ କୋଟି ଟଙ୍କା ବାଣ୍ଟି ଦିଆଯାଇଛି । ଯେଉଁଥିପାଇଁ ସେମାନେ ସବୁବେଳେ ରାଜାଙ୍କ ସମର୍ଥନରେ କଥା କହୁଥିଲେ ।
ଏହା ମଧ୍ୟ ଜଣାପଡିଛି ଯେ ପ୍ରାୟ ୭୪ କୋଟି ଟଙ୍କା ଲୋଡିଂ ଚାର୍ଜ ଏବଂ ଶ୍ରମ ଦେୟ ଭାବରେ ଦର୍ଶାଯାଇଛି । ସମ୍ପୃକ୍ତ ମଷ୍ଟର ରୋଲ୍ ଏବଂ ଭାଉଚରଗୁଡ଼ିକ ଏକ ବଡ଼ ପାର୍ଥକ୍ୟ ରହିଛି । ଯାହାକି ବିଲକୁଲ ତାଳ ମେଳ ଖାଉନାହିଁ । ୨୦୧୨ ଏବଂ ୧୩ ପରଠାରୁ ସୋସାଇଟି ପକ୍ଷରୁ କୌଣସି ଅଡିଟ୍ କରାଯାଇ ନାହିଁ।
ରାଜା ଚକ୍ର ଏହି ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଶେଷରେ ରାଜା ଚକ୍ର ଗିରଫ ଇଓଡବ୍ଲ୍ୟୁ ଦ୍ୱାରା ଗିରଫ ହୋଇଥିଲେ ।