କଟକ: ବୟସ ଯୋଗ୍ୟତା ଦୃଷ୍ଟିରୁ ଓଡିଶାରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) କନଷ୍ଟେବଳ ନିଯୁକ୍ତି ଉପରେ ଓଡ଼ିଶା ହାଇକୋର୍ଟ ରୋକ ଲଗାଇଛନ୍ତି। ଯେଉଁ ଆବେଦନକାରୀଙ୍କୁ ପୂର୍ବରୁ ବୟସ୍କ ବୋଲି ବିବେଚନା କରାଯାଇ ନିଯୁକ୍ତିରୁ ବାଦ୍ ଦିଆଯାଉଥିଲା, ସେହି ଆବେଦନକାରୀଙ୍କ ଯାଚିକା ଉପରେ ଶୁଣାଣି କରି ହାଇକୋର୍ଟ କନଷ୍ଟେବଳ ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖରେ ହେବ ।
ଆବେଦନକାରୀମାନେ ଉଲ୍ଲେଖ କରିଛନ୍ତି ଯେ, ସେମାନଙ୍କୁ ଅନ୍ୟାୟ ଭାବେ ବିଚାରରୁ ବାଦ୍ ଦିଆଯାଇଛି । ପୂର୍ବରୁ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପ୍ରାର୍ଥୀମାନଙ୍କୁ ସୁଯୋଗ ଦିଆଯାଇଥିଲା । ସେମାନଙ୍କ ପରୀକ୍ଷା ମଧ୍ୟ କରାଯାଇଥିଲା । କିନ୍ତୁ ଏହି ପରୀକ୍ଷାର ଫଳାଫଳ ଏ ପର୍ଯ୍ୟନ୍ତ ବାହାରି ପାରିଲା ନାହି ।
ଆରବିଆଇରେ ସଂପ୍ରତି ୧୮୦୦ରୁ ଅଧିକ କନଷ୍ଟେବଳ ପଦରେ ନିଯୁକ୍ତି ଚଳିତ ମାସ ୧୭ ତାରିଖରେ ଆରମ୍ଭ ହେବାକୁ ଥିଲା । କିନ୍ତୁ ଗୁରୁବାର ମାମଲାର ଶୁଣାଣି କରି ହାଇକୋର୍ଟ ଆଇଆରବି କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।
ସୂଚନାଯୋଗ୍ୟ, କରୋନା ଯିବା ପରେ ପ୍ରାୟ ୧୮ ଶହ ଆଇଆରବି କନଷ୍ଟେବଳ ସିପାହୀ ପଦ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ସେଥିରେ ବୟସାଧିକ କାରଣରୁ ବାଦ ପଡ଼ିଥିବା କିଛି ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେବା ଲାଗି ଅନୁମତି ଲୋଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
କୋର୍ଟ ସେମାନଙ୍କ ଆବେଦନକୁ ବିଚାର କରି, ଇଣ୍ଟରଭ୍ୟୁରେ ସାମିଲ ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହାରି ଭିତରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିନ୍ତୁ ଅଧିକ ବୟସ ହୋଇଥିବା ପ୍ରାର୍ଥୀମାନେ ମେଧା ତାଲିକାରୁ ବାଦ ପାଇଥିବାରୁ ସେମାନେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।