ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିଲା ଜୋରଦାର ଝଟକା। ଦଳର ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆହତ ସମସ୍ୟା କାରଣରୁ ଆରମ୍ଭରୁ କିଛି ମ୍ୟାଚ୍ ଖେଳିବେ ନାହିଁ। ତାଙ୍କୁ ସଂପୂର୍ଣ୍ଣ ଫିଟ୍ ହେବା ପାଇଁ ଆଉ କିଛି ସମୟର ଆବଶ୍ୟକତା ରହିଛି। ବୁମରା ବର୍ତ୍ତମାନ ପୁନଃଥଇଥାନ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ସେ ଏପ୍ରିଲ ଆରମ୍ଭରେ ମୁମ୍ଵାଇ ଇଣ୍ଡିଆନ୍ସରେ ଯୋଗ ଦେଇ ପାରନ୍ତି।
ଇଏସପିଏନକ୍ରିକଇମ୍ଫୋର ରିପୋର୍ଟ ଅନୁସାରେ, ବୁମରା ଆଇପିଏଲ୍ ୨୦୨୫ର ଆରମ୍ଭରୁ କିଛି ମ୍ୟାଚ୍ ଖେଳି ପାରିବେ ନାହିଁ। ଜାନୁଆରୀ ମାସରେ ପିଠିରେ ଲାଗିଥିବା ଆଘାତରୁ ବୁମରା ସଂପୂର୍ଣ୍ଣ ସୁସ୍ଥ ହୋଇ ପାରି ନାହାନ୍ତି। ତେଣୁ ତାଙ୍କୁ ଫିଟ୍ ହେବା ପାଇଁ ଆଉ କିଛି ସମୟ ଦରକାର। ଫଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାର୍ଚ୍ଚରେ ପ୍ରଥମ ୩ଟି ମ୍ୟାଚ୍ ବୁମରାଙ୍କ ଅନୁପସ୍ଥିତିରେ ଖେଳିବାକୁ ପଡ଼ିବ।
ମୁମ୍ବାଇ ଆଗାମୀ ସିଜିନର ର୍ଚ୍ଚ ୨୩ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରୁ ନିଜର ଅଭିଯାନ ଆରମ୍ଭ କରିବ। ଏହା ପରେ ମାର୍ଚ୍ଚ ୨୬ରେ ଗୁଜରାଟ ଟାଇଟନ୍ସ ଓ ମାର୍ଚ୍ଚ ୩୧ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଏହି ତିନୋଟି ମ୍ୟାଚ୍ରେ ଦଳରୁ ବାହାରେ ରହିବେ ବୁମରା। ଡାକ୍ତରୀ ଦଳ ଯଦି ତାଙ୍କୁ ଫିଟ୍ ଘୋଷିତ କରନ୍ତି ତେବେ ସେ ଏପ୍ରିଲ ୪ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସଜି)ବିପକ୍ଷ ମ୍ୟାଚ୍ରେ ପଡ଼ିଆକୁ ଓହ୍ଲାଇ ପାରନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍ରେ ବୁମରାଙ୍କ ପିଠିରେ ଆଘାତ ଲାଗିଥିଲା। ଏହା ପରଠୁ ସେ ଦଳରୁ ବାହାରେ ଅଛନ୍ତି। ଆହତ କାରଣରୁ ସେ ଚାମ୍ପିଅନ୍ସ ଟ୍ରଫି ବି ଖେଳି ପାରି ନ ଥିଲେ। ଏବେ ଦେଖିବାକୁ ବାକି ରହିଲା ବୁମରା କେବେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଉଛନ୍ତି।