ନୂଆଦିଲ୍ଲୀ: ପାକିସ୍ତାନରେ ଜାଫର ଟ୍ରେନ୍ ହାଇଜାକ୍ ମାମଲା ଏବେ ନୂଆ ମୋଡ଼ ନେଇଛି । ଏହି ଟ୍ରେନ ହାଇଜାକର ଦୋଷ ବଲୁଚ ବିଦ୍ରୋହୀ ନିଜ ମୁଣ୍ଡ ଉପରକୁ ନେଇଥିବାବେଳେ ପାକ୍ ବୈଦେଶିକ ମନ୍ତ୍ରଣାଳୟ ଭାରତ ମୁଣ୍ଡରେ ଅଠା ବୋଲିଛି । ଯାହାର ମୁହଁ ତୋଡ଼ ଜବାବ ଦେଇଛି ଭାରତ ।
ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ଦ୍ୱାରା ଲଗାଯାଇଥିବା ଅଭିଯୋଗଗୁଡ଼ିକୁ ଭାରତ ଦୃଢ଼ ଭାବରେ ଖଣ୍ଡନ କରିଛି। ବୈଦେଶିକ ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ପାକିସ୍ତାନ ଦ୍ୱାରା ଲଗାଯାଇଥିବା ଭିତ୍ତିହୀନ ଅଭିଯୋଗକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ । ସାରା ବିଶ୍ୱ ଜାଣେ ଯେ ବିଶ୍ୱ ଆତଙ୍କବାଦର କେନ୍ଦ୍ରସ୍ଥଳ କେଉଁଠାରେ । ପାକିସ୍ତାନ ନିଜ ଆଭ୍ୟନ୍ତରୀଣ ସମସ୍ୟା ଏବଂ ବିଫଳତା ପାଇଁ ଅନ୍ୟମାନଙ୍କୁ ଆଙ୍ଗୁଳି ଦେଖାଇ ଦୋଷ ଦେବା ପରିବର୍ତ୍ତେ ନିଜ ଭିତରକୁ ଥରେ ଦେଖିବା ଉଚିତ ।
ଏହା ପୂର୍ବରୁ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଶଫକତ ଅଲି ଖାନ ଦାବି କରିଥିଲେ ଯେ ଜାଫର ଏକ୍ସପ୍ରେସ ଉପରେ ଆକ୍ରମଣରେ ସମ୍ପୃକ୍ତ ବିଦ୍ରୋହୀମାନେ ଆଫଗାନିସ୍ତାନରେ ଥିବା ମାଷ୍ଟରମାଇଣ୍ଡମାନଙ୍କ ସହିତ ଯୋଗାଯୋଗରେ ଥିଲେ। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଭାରତ ପାକିସ୍ତାନରେ ଆତଙ୍କବାଦରେ ସାମିଲ ଅଛି । ଜାଫର ଏକ୍ସପ୍ରେସରେ ହୋଇଥିବା ବିଶେଷ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନେ ଆଫଗାନିସ୍ତାନରେ ଉପସ୍ଥିତ ସେମାନଙ୍କର ମାଲିକ ଏବଂ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ଥିଲେ । ବାରମ୍ବାର ସୀମା ସଂଘର୍ଷ ଏବଂ ଇସଲାମାବାଦର ଦାବି ଯୋଗୁଁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ହୋଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମଙ୍ଗଳବାର ପାକିସ୍ଥାନର କେଟା ଠାରୁ ପେଶୱାର ଯାତ୍ରା କରୁଥିବା ଜାଫର ଏକ୍ସପ୍ରେସର ଶତାଧିକ ଯାତ୍ରୀଙ୍କୁ ବଲୋଚିସ୍ଥାନ ଲିବରେସନ ଆର୍ମିର ସଦସ୍ୟମାନେ ଅପହରଣ କରିନେଇଥିଲେ । ସେମାନଙ୍କୁ ବୁଧବାର ଉଦ୍ଧାର କରାଯାଇଥିଲା । ୧୫୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯିବ ସହିତ ୨୭ ଜଣ ଅପହରଣକାରୀଙ୍କୁ ସୁରକ୍ଷାଦଳ ହତ୍ୟା କରିଛନ୍ତି ।
ଟ୍ରେନରେ ୪୨୫ ଜଣ ଥିଲେ ବୋଲି ପ୍ରଥମେ କୁହାଯାଉଥିଲା । ବଲୁଚିସ୍ଥାନ ଲିବରେସନ ଆର୍ମି, ପାକିସ୍ଥାନର ଏକ ବିଛିନ୍ନତାବାଦୀ ଦଳ ଅଟେ । ପାକିସ୍ଥାନରୁ ବଲୋଚିସ୍ଥାନର ସ୍ୱାଧୀନତା ପାଇଁ ଏହି ଦଳ ବିଭିନ୍ନ ସମୟରେ ପାକିସ୍ଥାନରେ ଆକ୍ରମଣ ଜାରି ରଖିଛି ।