ନୂଆଦିଲ୍ଲୀ: ଭାରତରେ ଏଲନ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କକୁ ମିଳି ସାରିଛି ମଞ୍ଜୁରୀ। ତଥାପି ମସ୍କଙ୍କ ପାଇଁ ଏକ ବଡ଼ ଆହ୍ଵାନ ସୃଷ୍ଟି ହୋଇଛି। ନିକଟରେ ଏୟାରଟେଲ୍ ଓ ଜିଓ ସହିତ ଚୁକ୍ତିନାମା ପରେ ଷ୍ଟାରଲିଙ୍କର ଭାରତରେ ପ୍ରବେଶର ପଥ ପରିଷ୍କାର ହୋଇଥିଲେ ହେଁ ଭାରତର ଦୂରସଞ୍ଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସେବା ପାଇଁ ଲାଇସେନ୍ସ ଅବଧିକୁ ୫ ବର୍ଷ ପର୍ଯ୍ୟନ୍ତ ସୀମିତ ରଖିବାକୁ ଯୋଜନା କରିଛି। ଏହି ନିଷ୍ପତ୍ତି ଏଲନ ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କ ପାଇଁ ବଡ଼ ଝଟକା ହୋଇପାରେ, କାରଣ କମ୍ପାନି ଭାରତ ସରକାରଙ୍କ ନିକଟରେ ୨୦ ବର୍ଷର ଲାଇସେନ୍ସ ଦାବି କରିଥିଲା।
କଣ ମାମଲା ?
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସେବା ପାଇଁ ସ୍ପେକ୍ଟ୍ରମ ଆବଣ୍ଟନକୁ ନେଇ ବଡ଼ ବିବାଦ ଚାଲିଥିଲା।ମସ୍କଙ୍କ ଷ୍ଟାରଲିଙ୍କ ଚାହୁଁଥିଲା ତାଙ୍କ କମ୍ପାନିକୁ ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ ନିଲାମୀ ମିଳୁ, ଯଦ୍ଵାରା ଦୀର୍ଘ ମିଆଦୀ ଯୋଜନା କରି ପାରିବେ ଏବଂ ଶସ୍ତାରେ ସେବା ଯୋଗାଇ ପାରିବେ। ଅନ୍ୟପଟେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଓ ଭାରତୀ ଏୟାରଟେଲ୍ ଚାହୁଁଥିଲେ ଏହି ଅବଧି ୩ରୁ ୫ ବର୍ଷ ପର୍ଯ୍ୟନ୍ତ ସୀମିତ ରଖାଯାଉ, ଯଦ୍ଵାରା ଭାରତ ସରକାର ସମୟ ସମୟରେ ବଜାରର ଆକଳନ କରି ପାରିବେ। ଏବେ ଟ୍ରାଇ ଅମ୍ବାନୀ ଓ ଏୟାରଟେଲ୍ର ପ୍ରସ୍ତାବକୁ ଗ୍ରହଣ କରି ୫ ବର୍ଷର ସମୟ ସୀମା ନିର୍ଦ୍ଧାରିତ କରିବାକୁ ପ୍ରସ୍ତୁତି କରୁଛି।
ଷ୍ଟାରଲିଙ୍କ ପାଇଁ ବଡ଼ ଝଟକା ?
ଏଲନ ମସ୍କଙ୍କ ଷ୍ଟାରଲିଙ୍କ ନିକଟରେ ଭାରତରେ ନିଜର ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ସେବା ବିସ୍ତାର ପାଇଁ ରିଲାଏନ୍ସ ଓ ଏୟାରଟେଲ୍ ସହିତ ଡିଷ୍ଟ୍ରିବ୍ୟୁସନ ଡିଲ୍ କରି ସାରିଛି। କିନ୍ତୁ ଏହି ବିଜନେସ୍ ମଡେଲକୁ ସଫଳ କରିବା ପାଇଁ କମ୍ପାନିକୁ ଲମ୍ବା ଅବଧିର ଲାଇସେନ୍ସ ଦରକାର ଥିଲା। ଟ୍ରାଇର ଏହି ନିଷ୍ପତ୍ତିରେ ଷ୍ଟାରଲିଙ୍କକୁ ଭାରତରେ ଦୀର୍ଘ ମିଆଦୀ ନିବେଶ ଓ ଦର ବୃଦ୍ଧି ନିର୍ଦ୍ଧାରଣରେ ସମସ୍ୟା ଉପୁଜିପାରେ।
ସରକାରଙ୍କ ତର୍କ
ସରକାରୀ ସୁତ୍ର ମୁତାବକ ସରକାର ଭାରତର ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ବଜାରକୁ ପରଖିବାକୁ ଚାହାନ୍ତି, ଯଦ୍ଵାରା ସଠିକ୍ ସ୍ପେକ୍ଟ୍ରମ ମୂଲ୍ୟ ନିର୍ଦ୍ଧାରଣ କରି ପାରିବେ। ଏବେ ପାରମ୍ପରିକ ଟେଲିକମ କମ୍ପାନିଗୁଡିକୁ ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ ନିଲାମୀ ମିଳୁଛି। କିନ୍ତୁ ପ୍ରଥମ ଥର ସାଟେଲାଇଟ୍ ସେବା ପାଇଁ ଶସ୍ତା ଓ ସୀମିତ ସମୟ ପାଇଁ ସ୍ପେକ୍ଟ୍ରମ ଆବଣ୍ଟିତ କରାଯିବ।
ଟ୍ରାଇ ଅଗାମୀ ଏକ ମାସରେ ନିଜର ଅନ୍ତିମ ସୁପାରିଶ ଟେଲିକମ ମନ୍ତ୍ରଣାଳୟକୁ ପଠାଇବ। ଏହା ପରେ ସରକାର ଏହାକୁ ଲାଗୁ କରିବା ଉପରେ ନିଷ୍ପତ୍ତି ନେବେ। ଭାରତରେ ୨୦୨୮ ପର୍ଯ୍ୟନ୍ତ ସାଟେଲାଇଟ୍ କମ୍ୟୁନିକେସନ ସେକ୍ଟରର ଆକାରର ୨୫ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିବାର ଅନୁମାନ ରହିଛି।