ନୂଆଦିଲ୍ଲୀ: ଟ୍ରେନ ହାଇଜ୍ୟାକ ଘଟଣାରେ ଭାରତ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିବା ବେଳେ ଅନ୍ୟପଟେ ବଲୁଚ ଲିବେରେସନ ଆର୍ମି(ବିଏଲଏ) ପାକିସ୍ତାନ ସେନାର ପୋଲ୍ ଖୋଲିବାରେ ଲାଗିଛି । ଜାଫର ଏକ୍ସପ୍ରେସର ସମସ୍ତ ପଣବନ୍ଦୀକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ପାକିସ୍ତାନ କହୁଥିବା ବେଳେ ବିଏଲଏର ଦାବି ଅଲଗା ରହିଛି । ଏବେ ବି ତାଙ୍କ କବଳରେ ୧୫୦ ପାକିସ୍ତାନୀ ସୈନିକ ଥିବା ବିଏଲଏ କହିଛି ।
ଅପରପକ୍ଷେ ଭାରତ ପାକିସ୍ତାନକୁ ଜବାବ ଦେଇ କହିଛି ଦୁନିଆକୁ ବେଶ ଭଲ ଭାବେ ଜଣା ଆତଙ୍କବାଦର ଆଡ୍ଡା କେଉଁଠି । ବଲୁଚିସ୍ତାନର ବଲୋନ ଜିଲ୍ଲାରେ ଜାଫର ଏକ୍ସପ୍ରେସ୍ ହାଇଜ୍ୟାକ ଘଟଣାରେ ପାକିସ୍ତାନ ପରୋକ୍ଷ ଭାବେ ଭାରତର ନାଁ ଯୋଡିବାକୁ ହୀନ ପ୍ରୟାସ କରିଥିଲା । ଏହା ବାଦ୍ ଆଫଗାନିସ୍ତାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲା । ଏପରିକି ପାକିସ୍ତାନ ସେନା ଦାବି କରିଥିଲା ଯେ, ରେସ୍କ୍ୟୁ ଅପରେସନ ବୁଧବାର ପୁରା ହୋଇ ସାରିଛି ।
ତେବେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜବାବରେ କୁହାଯାଇଛି ଯେ, ଆମେ ପାକିସ୍ତାନ ଦ୍ୱାରା ଲଗାଯାଉଥିବା ଭିତ୍ତିହୀନ ଅଭିଯୋଗକୁ ଖଣ୍ଡନ କରୁଛୁ । ପୂରା ଦୁନିଆ ଜାଣିଛି ବିଶ୍ୱର ଆତଙ୍କବାଦର କେନ୍ଦ୍ର ସ୍ଥଳ କେଉଁଠି । ନିଜର ଆଭ୍ୟନ୍ତରୀଣ ସମସ୍ୟା ଓ ବିଫଳତାର ଦୋଷ ଆଉ କାହାକୁ ଦେବା ପରିବର୍ତ୍ତେ ପାକିସ୍ତାନକୁ ନିଜକୁ ଆଗ ଦେଖୁ ।
ଜାଫର ଟ୍ରେନ ଘଟଣାରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଥିଲେ ଯେ, ଆମେ ଆଫଗାନିସ୍ତାନକୁ ଅପିଲ୍ କରୁଛୁ ଯେ, ସେମାନେ ଆତଙ୍କବାଦୀଙ୍କ ଏହି ନିନ୍ଦନୀୟ କାର୍ଯ୍ୟର ମୁକାବିଲା ପାଇଁ ପାକିସ୍ତାନକୁ ସହଯୋଗ କରନ୍ତୁ । ଆଉ ଭାରତ ପାକିସ୍ତାନ ବିରୋଧରେ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ରହିଛି । ଆଫଗାନିସ୍ତାନରେ ଥିବା ଆତଙ୍କବାଦୀ ସହ ଭାରତର ସଂପର୍କ ଥିବାର ପ୍ରମାଣ ଆମ ନିକଟରେ ରହିଛି । ପାକିସ୍ତାନର ଏମିତି ଅଭିଯୋଗ ପରେ ଭାରତ ଆଜି ଦୃଢ ଜବାବ ଦେଇଛି ।
ସୂଚନାଯୋଗ୍ୟ, ଜାଫର ଏକ୍ସପ୍ରେସ୍ ଟ୍ରେନ ହାଇଜ୍ୟାକ ଘଟଣାରେ ବିଏଲଏ ଓ ପାକିସ୍ତାନ ପକ୍ଷରୁ ଭିନ୍ନ ଭିନ୍ନ ଦାବି କରାଯାଉଛି । ପାକିସ୍ତାନ ଅନୁଯାୟୀ, ପାକିସ୍ତାନୀ ସେନା ସମସ୍ତ ବନ୍ଧକକୁ ମୁକ୍ତ କରିବା ସହ ୩୩ ଆତଙ୍କବାଦୀଙ୍କ ନିପାତ କରିଛି । ଅନ୍ୟପଟେ ବିଏଲଏର ଦାବି ଏବେ ବି ପାକିସ୍ତାନ ସେନାର ୧୫୦ ସୈନିକ ଏବେ ବି ବନ୍ଧକ ଅଛନ୍ତି ।