ଲଖନଉ: ଉତ୍ତର ପ୍ରଦେଶରେ ହୋଲି ଓ ଜୁମେକୁ ନେଇ ଉତ୍ତର ପ୍ରଦେଶରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ରାଜ୍ୟର ଯେଉଁ ଯେଉଁ ଜିଲ୍ଲାମାନଙ୍କରେ ହୋଲି ଶୋଭାଯାତ୍ରା ରୁଟରେ ପଡୁଥିବା ମସଜିଦଗୁଡିକୁ ଢାଙ୍କି ଦିଆଯାଇଛି । ଏଥିରେ ଶାହଜହାନପୁର, ସମ୍ଭଲ, ଅଲିଗଡ ଜିଲ୍ଲା ପ୍ରମୁଖ । ଶାହଜହାନପୁରରେ ଲାଟ୍ ସାହାବ ହୋଲି ଶୋଭାଯାତ୍ରା ରୁଟରେ ସ୍ଥିତ ମସଜିଦକୁ ତିରିପାଲ ଜରିଆରେ ଢାଙ୍କି ଦିଆଯାଇଛି । ଏହିପରି ସମ୍ଭଲରେ ପ୍ରାୟ ୧୦ ମସଜିଦଙ୍କୁ ମଧ୍ୟ ଢାଙ୍କି ଦିଆଯାଇଛି । ଅଲିଗଢରେ ମଧ୍ୟ ଏହିପରି ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଛି ।
ଏହା ବ୍ୟତୀତ ଅଧିକାଂଶ ସ୍ଥାନରେ ଅପରାହ୍ଣ ୨ଟା ୩୦ରେ ନମାଜ ପଢିବା ନେଇ ନିଷ୍ପତ୍ତି ହୋଇଛି । ସମ୍ଭଲରେ ହୋଲି ଓ ଜୁମେକୁ ନେଇ ପ୍ରଶାସନ ପକ୍ଷରୁ ପୂରା ପ୍ରସ୍ତୁତି କରାଯାଇଛି । ସମ୍ଭଲର ଶାହି ଜାମା ମସଜିଦକୁ ତିରପାଲ ଜରିଆରେ ଢାଙ୍କି ଦିଆଯାଇଛି । ସେହିପରି ସମ୍ଭଲର ଅନେକ ଗୁଡାଏ ମସଜିଦକୁ ଢାଙ୍କି ଦିଆଯାଇଛି ।
ସେହିପରି ଅଲିଗଡରେ ହୋଲି ଶୋଭାଯାତ୍ରା ରୁଟରେ ପଡୁଥିବା ଅନେକ ମସଜିଦକୁ ତିରପାଲରେ ଢାଙ୍କି ଦିଆଯାଇଛି । ଅଲିଗଡରେ ମହମ୍ମଦ ଜାକିର କହିଛନ୍ତି, ସହରରେ ଶାନ୍ତି କାଏମ ରହିବା ସବୁଠୁ ବଡ କଥା । କୌଣସି ବି ସମୁଦାୟକୁ କୌଣସି ସମସ୍ୟା ନ ହେଉ ସେ ଦିଗରେ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଉଛି । କୌଣସି ପ୍ରକାରର ଅପ୍ରୀତିକର ଘଟଣା ନ ଘଟୁ ତାକୁ ଦୃଷ୍ଟିରେ ରଖି ମସଜିଦକୁ ଢଙ୍କା ଯାଉଛି । ଗତ ୬-୭ ବର୍ଷ ହେବ ଏମିତି କରାଯାଉଛି ।
ସେହିପରି ଶାହଜହାନପୁରରେ ୨୦ ମସଜିଦରେ ଏହିପରି ବ୍ୟବସ୍ଥା କରାଯାଇଛି । ଏହି ସବୁ ମସଜିଦ ପାରମ୍ପରିକ ଲାଟ୍ ସାହାବ ହୋଲି ଶୋଭାଯାତ୍ରା ମାର୍ଗରେ ପଡୁଛି । ଶାହଜହାନପୁରରେ ହୋଲି ଉପଲକ୍ଷେ ୩୫୦୦ ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ବରେଲି ଓ ଚନ୍ଦେଲିରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି ।