ନୂଆଦିଲ୍ଲୀ: ପୁଣି ଥରେ ଅଶାନ୍ତ ହୋଇ ପଡ଼ିଛି ଭାରତର ସୀମାନ୍ତ ରାଜ୍ୟ ମଣିପୁର । କେନ୍ଦ୍ର ସରକାର ବଢ଼ୁଥିବା ହିଂସାକୁ ଦୃଷ୍ଟିରେ ରଖି ମଣିପୁରକୁ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା କରିଛନ୍ତି । ପୁଣି ଥରେ ମଣିପୁରରେ ରାଜ୍ୟରେ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଆଇନ, ୧୯୫୮ (AFSPA) ଲାଗୁ କରାଯାଇଛି । ଆଗାମୀ ୬ ମାସ ପର୍ଯ୍ୟନ୍ତ ଏହି ଆଇନ ବଳବତ୍ତର ରହିବ । କୁକି ଓ ମୈତେଈ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ନଜରରେ ରଖି କେନ୍ଦ୍ର ଶୁକ୍ରବାର ଏହି ନିଷ୍ପତ୍ତି ନେଇଛି ।
ଗତକାଲି ରାତିରେ କାମଜୋଙ୍ଗ ଜିଲ୍ଲାରେ ସନ୍ଦିଗ୍ଧ ଆତଙ୍କବାଦୀ ଚାରି ଜଣ ସ୍ଥାନୀୟ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମିଆଁମାର ସୀମା ନିକଟସ୍ଥ ପିଲୋଙ୍ଗ ଗ୍ରାମ ନିକଟରେ ଏକ ନିର୍ଜନ ସ୍ଥାନରେ 4 ଜଣ ଲୋକଙ୍କ ଶବ ମିଳିଛି । ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ପଡ଼ୋଶୀ ମିଆଁମାରର ସନ୍ଦିଗ୍ଧମାନେ ଅନୁପ୍ରବେଶ କରି ୫ ଜଣଙ୍କ ଉପରେ ଗୁଳି ବର୍ଷା କରିଥିଲେ । ସେମାନଙ୍କ ମଧ୍ୟରେ ଜଣେ ସୌଭାଗ୍ୟବଶତଃ ଖସି ପଳାଇ ଆସିଥିବାବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଉକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ତୁରନ୍ତ ସୂଚନା ଦେଇଥିଲେ ।
କେନ୍ଦ୍ର ସରାକର ଘଟଣାର ସମ୍ବେଦନଶୀଳତାକୁ ଲକ୍ଷ୍ୟ କରି ଆପ୍ସା ଲାଗୁ କରିଛନ୍ତି । ଆପ୍ସା ଲାଗୁ ହେବା ପରେ ସ୍ୱତନ୍ତ୍ର ସୁରକ୍ଷା ବଳ ସେହି କ୍ଷେତ୍ର ବିଶେଷ ଅଧିକାର ମିଳିଥାଏ । ଯାହା ଦ୍ୱାରା ବିନା କୌଣସି ୱାରେଣ୍ଟରେ ଗିରଫଦାରୀ, ତଲାସୀ ଏବଂ କିଛି ହିଂସାତ୍ମକ ସ୍ଥିତିରେ ଗୁଳି ଚାଳନା କରିବାର ଅଧିକାର ମିଳିଥାଏ । ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହି ଆଇନ କାର୍ଯ୍ୟକାରୀ କରାଯିବ ।
ମଣିପୁର ମୁଖ୍ୟମନ୍ତ୍ରୀ ୱାଇ ଖେମଚାନ୍ଦ ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଏଭଳି ହିଂସାର ସମାଜରେ କୌଣସି ସ୍ଥାନ ନାହିଁ କହିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ୨୦୨୩ ମସିହାରେ ହିଂସାକୁ ଦୃଷ୍ଟିରେ ରଖି ସରକାର ମଣିପୁରକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରିଥିଲେ ।